କନକ ବ୍ୟୁରୋ: ସରଗରମ ନିର୍ବାଚନୀ ମାହୋଲ ଭିତରେ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦିନ କଥା କଥାକଟି ଚାଲିଛି । ହେଲେ ଆଜି ଏମିତି କିଛି ଘଟିଲା, ହୁଏତ ଓଡ଼ିଶାବାସୀ ଓ ରାଜନୈତିକ ସମୀକ୍ଷକମାନେ ଦୀର୍ଘଦିନ ପର୍ଯ୍ୟନ୍ତ ମନେରଖିବେ । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ଉଠାଇ ସିଧାସଳଖ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଏହାର ଅଳ୍ପ କିଛି ସମୟ ପରେ ନବୀନ ସାମ୍ବାଦିକ ସମ୍ମିଳନୀ କରି ଏହାର ଉତର ରଖିଛନ୍ତି । ଦୁଇ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଏହି କଥା କଟାକଟି ରାଜନୈତିକ ପାଣିପାଗକୁ ଆହୁରି ଉଷ୍ମ କରିଦେଇଛି ।

Advertisment

୨୦୨୪ ନିର୍ବାଚନ ପ୍ରଚାରରେ ବିଜେଡି-ବିଜେପି ମଧ୍ୟରେ ଯେତିକି କଥା କଟାକଟି ହୋଇଥିଲା, ଆଜି ଏହା ଶୀର୍ଷକୁ ପହଁଚି ଯାଇଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରଶ୍ନ ଉଠାଇଥିଲେ, ତା’ର ସିଧା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦା ନିର୍ବାଚନୀ ସଭାରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ,
ବର୍ଷକ ଭିତରେ ନବୀନଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କିପରି ହେଲା?

ଏହା ପଛରେ କିଛି ଷଡ଼ଯନ୍ତ୍ର ବି ଥାଇପାରେ!
ଏଥିରେ ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ହାତ ଅଛି କି?
ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି
ବିଜେପି ସରକାର ଆସିଲେ ସ୍ୱତନ୍ତ୍ର କମିଟି ଗଠନ କରାଯିବ
ଅଚାନକ ସ୍ୱାସ୍ଥ୍ୟ ଖରାପର ଯାଂଚ କରାଯିବ
ନବୀନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଏପରି ଟିପ୍ପଣୀ ପରେ ଏହାର ଜବାବ ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ପ୍ରେସ୍ ମିଟ୍ ଡାକି ନବୀନ କହିଛନ୍ତି,
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ଅଛି
ସ୍ୱାସ୍ଥ୍ୟ ଖରାପ ଥିଲେ ଭୀଷଣ ଗରମରେ ପ୍ରଚାର କରି ପାରିନଥାନ୍ତେ
ସ୍ୱାସ୍ଥ୍ୟ ସଂପର୍କରେ ଅପପ୍ରଚାର କରାଯାଉଛି
ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଚିନ୍ତିତ ଥିଲେ ପ୍ରଧାନମନ୍ତ୍ରୀ ଫୋନ କରି ବୁଝି ପାରିଥାନ୍ତେ
କୋଇଲା ରୟାଲିଟି ବଢ଼ାଇବା ପାଇଁ କମିଟି ଗଢ଼ାଯାଉ
ଭୋଟ ପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଠାଯାଉଛି

ନବୀନଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ଆଜି ଦିନ ତମାମ ଏହାକୁ ନେଇ ଉଠିଥିଲା ପଡ଼ିଥିଲା ରାଜ୍ୟ ରାଜନୀତି । ଶେଷରେ ନିଜ ସ୍ୱାସ୍ଥ୍ୟ ସଂପର୍କରେ ସ୍ପଷ୍ଟୀକରଣ ରଖି ଚର୍ଚ୍ଚାରେ ଅବସାନ ଘଟାଇଛନ୍ତି ମୁଖ୍ୟମନ୍ତ୍ରୀ ।