କନକ ବ୍ୟୁରୋ : ଦୁଃଖ ପାଲଟିଛି ଟିପିସର ନାଳ । ଆସିକା ସହରର ବନ୍ୟା ଜଳ ନିଷ୍କାସନର ପ୍ରମୁଖ ମାଧ୍ୟମ ହେଉଛି ଏହି ଟିପିସର ନାଳ । ଯାହାକି ଋଷିକୁଲ୍ୟା ଓ ବଡ ନଦୀ ମଧ୍ୟରେ ରହିଛି । ଆସିକା ଓ ଉପରମୁଣ୍ଡରେ ଥିବା ପ୍ରତିଟି ଗାଁର ବର୍ଷା ପାଣି ଏହି ନାଳ ଦେଇ ନିଷ୍କାସିତ ହୋଇଥାଏ । ବର୍ଷା ଦିନେ ଚାଷୀ ମାନଙ୍କ କାମରେ ଆସେ କିନ୍ତୁ ଅଧିକ ବର୍ଷା ଓ ବନ୍ୟା ବେଳେ ଏହି ନାଳର ପାଣି ସହରର ତଳି ଅଂଚଳ ଭିତରକୁ ପଶିଆସେ । ଯାହାଫଳରେ ବନ୍ୟା ପରିସ୍ଥିତି ଉପୁଜିବା ଥୟ । ବର୍ଷ ତମାମ ଏହି ନାଳରେ ଦଳ ଭରି ରହିଥାଏ । ତାସାଙ୍ଗକୁ ସହରର କୁଢ କୁଢ ଅଳିଆ ଆବର୍ଜନା ଏହି ନାଳରେ ପଡୁଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିଛି ।
ଆସିକାର ଦୁଖଃ କୁହା ଯାଉଥିବା ଏହି ଟିପିସର ନାଳ କଥା କେବଳ ବର୍ଷା ଦିନ ଆସିଲେ ସମସ୍ତଙ୍କର ମନେ ପଡିଥାଏ । ଏହାର ପୁନରୁଦ୍ଧାର ହେଉ କି ଦଳ ଓ ପଙ୍କ ଉଦ୍ଧର ପାଇଁ ଲକ୍ଷାଧିକ ଟଙ୍କାର ବିଲ୍ ପାସ୍ କରି ଅର୍ଥ ଚଳୁ କରାଯାଉଥିବା ଅଭିଯୋଗ ହୋଇଆସୁଛି । ସେପଟେ ନାଳ ଉପରେ ଅନେକ ଲୋକ ବେଆଇନ ଭାବେ ଜବର ଦଖଲ କରି ଘର ନିର୍ମାଣ କରିଛନ୍ତି । କେତେକ ସ୍ଥାନରେ ଏହାକୁ ପୋତି ଦେଇଥିବାରୁ ନାଳ ପାଇଁ ଆସିକା ବାସୀ ଅନେକ ସମସ୍ୟା ଭୋଗୁଛନ୍ତି । ଖୁବଶୀଘ୍ର ଟେଣ୍ଡର କରାଯାଇ ସ୍ଥାୟୀ ସମାଧାନ କରାଯିବାର ପୁଣିଥରେ ମିଳିଛି ପ୍ରତିଶ୍ରୁତି ।
ଜଳବନ୍ଦୀ ହୋଇଯାଉଥିବା ଏହି ଆସିକା ଟିପିସର ନାଳର ସ୍ଥାୟୀ ସମାଧାନ କରାଯାଇପାରିଲେ ଆସିକାବାସୀ ଉପକୃତ ହୋଇପାରିବେ ।