ସଙ୍କଟରେ ଆସିକା ଚିନି ଶିଳ୍ପ । କଂଚାମାଲର ଅଭାବରୁ ନେଇ ଲାଗିଛି ଆଖୁ ଚାଷୀଙ୍କ ବିଭିନ୍ନ ସମସ୍ୟା, ପରିଚାଳନା ଗତ ତ୍ରୁଟି ସହ ବଢୁଛି ଶ୍ରମିକ ଅଶାନ୍ତି

67

କନକ ବ୍ୟୁରୋ : ସର୍ବପୁରାତନ ଚିନି କଳ ହେଉଛି ଆସିକା ଚିନି କଳ । ଯାହା ଗଂଜାମର ଆସିକା ଅଂଚଳକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ହେଲେ ଏବେ ବି ପରିଚୟ ହରାଇ ନଥିବା ଏହି କଳ ଖୋଜୁଛି ସଠିକ୍ ପରିଚାଳନା । ଶିଳ୍ପ ଓ କୃଷିର ଉନ୍ନତି ସାଙ୍ଗକୁ ନୁତନ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଗଢିଉଠିଥିବା ଏହି କଳରେ ପରିଚାଳନା ଗତ ତୃଟି ସାଙ୍ଗଙ୍କୁ ଶ୍ରମିକ ଅଶାନ୍ତି ବଢିଚାଲିଛି । ଏହା ସହ ଆଖୁ ଚାଷ ପ୍ରତି ଚାଷୀଙ୍କ ବିମୁଖତା ଏହାକୁ ବିପଦ ଆଡକୁ ଟାଣି ନେଉଛି । ଗଂଜାମର ୧୬ଟି ବ୍ଲକର ଆଖୁ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଷ ଏବେ କମିବାରେ ଲଗିଛି । ଫଳରେ କାରଖାନା ଚାଲିବା ପାଇଁ ଆବଶ୍ୟକ ଥିବା କଂଚାମାଲର ଅଭାବ ରହୁଛି । ସେପଟେ ଚାଷୀଙ୍କୁ ଚିନି କଳ ପକ୍ଷରୁ ଯେଉଁ ସାର ଓ ବିହନ ଯୋଗାଇ ଦିଆ ଯାଉଛି ତାହା ଆଖୁର ବିକ୍ରି ସମୟରେ ଚାଷୀଙ୍କ ଠାରୁ ଅସୁଲ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏପଟେ ବର୍ଷକୁ ବର୍ଷ ଆଖୁ ଚାଷୀ ଆଖୁ ଚାଷ କରୁନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ବିଭାଗୀୟ ଅଧିକାରି ଆସିକା ଚିନି ଶିଳ୍ପ ଓ ଚାଷୀଙ୍କ ସହ ଅନେକ ସମୟରେ ଆଲୋଚନା କରୁଥିଲେ ମଧ୍ୟ ସୁଫଳ ମିଳୁନାହି । ଯଦି ଏହି ପରି ଆଖୁ ଚାଷ କମେ ତେବେ ଆଗକୁ ଏହି ଏସିଆର ସର୍ବପୁରାତନ କଳଟି ବି ବନ୍ଦ ହୋଇଯିବ । ଏପଟେ ଚାଷୀଙ୍କୁ ଆଖୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବହୁ ବ୍ୟବସ୍ଥା ହାତକୁ ନିଆ ଯାଇଛି ବୋଲି ଚିନି ଶିଳ୍ପ କତୃପକ୍ଷ କହିଥିଲେ ବି ଆସାନୁରୂପ ସଫଳ ମିଳି ନାହିଁ ।

ସଙ୍କଟରେ ପଡିଥିବା ଏହି ଚିନିକଳ ପ୍ରତି ଗୁରୁତ୍ୱ ଦିଆଯିବା ସହିତ ଚାଷୀ ମାନଙ୍କୁ ସାହାଯ୍ୟ ସହଯୋଗ କରଯାଇପାରିଲେ ଏହାର ପୁନଃରୁଦ୍ଧାର ହୋଇପାରିବ ।