କନକ ବ୍ୟୁରୋ : ୫୯ ନଂ ଜାତୀୟ ରାଜପଥ ଠାରୁ ଶରଧାପୁର ଦେଇ ବାହାରପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଚୁ ରାସ୍ତା ନିର୍ମାଣ କରାଯାଇଛି । ଦୁଇ ମାସ ତଳେ ତିଆରି ହୋଇଥିବା ରାସ୍ତାର ଅବସ୍ଥାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଅଦିନିଆ ବର୍ଷା ପରେ ୩ କିଲୋମିଟର ପିଚୁ ରାସ୍ତାରେ ଆଣ୍ଠୁଏ କାଦୁଅ । ନୂଆ ରାସ୍ତା ଲୋକଙ୍କ ସୁବିଧା କରିବା ବଦଳରେ ଯେମିତି ମରଣଯନ୍ତା ପାଲଟି ଯାଇଛି । କାଦୁଅ ପଚପଚ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଶରଧାପୁରର ପ୍ରାୟ ୫ଶହ ଲୋକ ।

Advertisment

ଶରଧାପୁର ଗାଁ ଦେଇ ଯାଇଛି ରିଷୁକୁଲ୍ୟା କେନାଲ । ସେହି କେନାଲରୁ ମାଟି ଉଦ୍ଧାର କରି କଂକ୍ରଟ କାମ ଚାଲିଛି । କେନାଲ କାମ କରୁଥିବା ଠିକା ସଂସ୍ଥା କେନାଲ ମାଟିକୁ ଗାଁ ଗାଁରେ ବିକ୍ରି କରୁଛି । ମାଟି ବୁହା ହେଉଥିବା ବେଳେ ରାସ୍ତାରେ ପଡିବାରୁ ଏହିଭଳି ସ୍ଥିତି ସୃଷ୍ଟି ହୋଇଛି । ଗାଁ ରାସ୍ତା ଦେଇ ମାଟି ବୋଝେଇ ଗାଡି ନନେବା ପାଇଁ ଗ୍ରାମବାସୀ ବାରମ୍ଭାର ଅଭିଯୋଗ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଜାତୀୟ ରାଜପଥ ୫୯ ମଧ୍ୟ କାଦୁଅରେ ପରିଣତ ହୋଇଛି । ହନୁମାନ ଦ୍ୱାର, ଧରାକୋଟ, ତାଳପାଟଣା, ଦାମଦରପଲ୍ଲି ଆଦି ଗାଁରେ ରାସ୍ତାର ଅବସ୍ଥା ସମାନ । ସାମନ୍ୟ ବର୍ଷା ହେଲେ ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ।