ଗଂଜାମ ସୋମପୁର ଗାଁରେ ଅଘଟଣ । ଖେଳୁଥିବା ସମୟରେ ଫାଟିଲା ଡିଟୋନେଟର । ୩ ପିଲାଙ୍କ ଛିଣ୍ଡିଲା ଆଙ୍ଗୁଳି, ମୁହଁରେ ବି ଲାଗିଛି ଆଘାତ

ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତି

156

କନକ ବ୍ୟୁରୋ: ଡିଟୋନେଟର ବିସ୍ଫୋରଣରେ ତିନି ଛାତ୍ର ଗୁରୁତର । ଗଂଜାମ ଜିଲ୍ଲା ହିଞ୍ଜଳି କାଟୁ ଥାନା ସୋମପୁର ଗାଁରେ ଘଟିଛି ଏହି ଅଘଟଣ । ପିଲାମାନେ ଖେଳୁଥିବା ବେଳେ ଡିଟୋନେଟର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣ ଛାତ୍ର ଆହତ ହୋଇଛନ୍ତି । ତିନି ଛାତ୍ରଙ୍କ ଆଙ୍ଗୁଳି ଛିଣ୍ଡିବା ସହ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ସୋମପୁର ଗାଁ ପାଖ ପାହାଡରେ ପଥର ଫଟାଇବା ପାଇଁ ଡିଟୋନେଟର ବ୍ୟବହାର କରାଯାଉଥିବା ଜଣାପଡିଛି । ପିଲାମାନେ ପାହାଡ ପାଖରୁ ଡିଟୋନେଟର ଗୋଟେଇ ଆଣି ଖେଳୁଥିବା ବେଳେ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁର ଦୁଇ ନାବାଳକ ବାଦଲ ଗୌଡ଼ ଓ ସିଧୁ ଗୌଡ଼ ଖେଳୁଥିବା ସମୟରେ ହାତରେ ଡିଟୋନେଟର ବିସ୍ଫୋରଣ ଘଟିଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଅଘଟଣ ଘଟିଥିଲା। ଏହାଫଳରେ ଉଭୟ ବାଦଲ ଗୌଡ଼ ଓ ସିଧୁ ଗୌଡ଼ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଉଭୟେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ହିଞ୍ଜଳିକାଟୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା । ପରେ ଉଭୟଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗ୍ରାମବାସୀଙ୍କ ସୂଚନା ମୁତାବକ,  ପିଲାଦୁହେଁ ଡିଟୋନେଟର ହାତରେ ଧରି ଏକ ବ୍ୟାଟେରି ସହ ସଂଯୋଗ କରୁଥିବା ସମୟରେ ହଠାତ୍ ଭୟଙ୍କର ଶବ୍ଦ ହୋଇଥିଲା । ଲୋକେ ଅତର୍କିତ ଘରୁ ବାହାରି ଦେଖିବା ସମୟରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସ୍ କିନ୍ତୁ ଘଟଣାକୁ ହାଲୁକା ଭାବେ ନେଉଥିବା ବେଳେ ଏବେ ମଧ୍ୟ ଗାଁରେ ଡିଟୋନେଟର ମହଜୁଦ ଥିବା ଯୋଗୁଁ ଗାଁ ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି । ହିଞ୍ଜିଳିକାଟୁ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।