ଜେଟ୍ କର୍ମଚାରୀଙ୍କୁ ୧ ମାସର ଦରମା ଦେବାକୁ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନେହୁରା ହେଲେ ନ୍ୟାସନାଲ୍ ଅଭିଏଟର୍ ଗାଇଡ୍ !

141

କିଛି ଦିନ ତଳେ ପରିଚାଳନା ବନ୍ଦ କରିଥିବା ଜେଟ୍ ଏୟାରଓଏଜର ନେସନାଲ୍ ଅଭିଏଟର୍ ଗାଇଡ୍ (ଏନଏଜି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି । ସେ ମୋଦୀଙ୍କୁ ଲେଖି କରି କହିଛନ୍ତି ଯେ ସମସ୍ତ କର୍ମଚାରୀମାନଙ୍କୁ ନ୍ୟୂନତମ ଏକ ମାସର ଦରମା ପ୍ରଦାନ କରିବାକୁ କମ୍ପାନିର ଋଣଦାତା ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଉ ।

ଗତ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇ-ମେଲ୍ କରି ଏୟାରଲାଇନର ଡି-ରେଜିଷ୍ଟ୍ରେସନ୍ ରୋକିବାକୁ ମଧ୍ୟ ନିବେଦନ କରିଛନ୍ତି । ଏନ୍ଏଜ ସଭାପତି କରଣ ଚୋପ୍ରା ଇ-ମେଲ୍ କରି ଲେଖିଛନ୍ତି ଯେ ‘କିଙ୍ଗଫିସର୍ ଏୟାରଲାଇନ୍ ବନ୍ଦ ହେବା ବେଳେ କର୍ମଚାରୀମାନେ ଯେଉଁ ଭଳି ଭାବେ ମାନସିକ ସ୍ଥିତି ଦେଇ ଗତି କରିଥିଲେ ତାହା ପୁନଶ୍ଚ ନହେଉ । ଉଲ୍ଲେଖଯୋଗ୍ୟ, ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜେଟ୍ ଏୟାରଓଏଜର ପରିଚାଳନା ବନ୍ଦ ହୋଇଯିବା ପରେ କମ୍ପାନିର କର୍ମଚାରୀମାନେ ନିଜର ବକେୟା ଦରମା ଟଙ୍କା ଓ ଅନ୍ୟ ପାଉଣା କିପରି ପାଇବେ ଚିନ୍ତାରେ ପଡ଼ିଛନ୍ତି ।

ଏ ନେଇ ଶୁକ୍ରବାର କମ୍ପାନିର ମୁଖ୍ୟ କାର‌୍ୟ୍ୟକାରୀ ଅଧିକାରୀ (ସିଇଓ) କହିଥିଲେ କମ୍ପାନିକୁ ଯେ କେହି ନେଇ ପୁନଶ୍ଚ ଚଳାଇଲେ ଆମେ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଲେ ମଧ୍ୟ କର୍ମଚାରୀମାନଙ୍କ ବକେୟା ପାଉଣା ବିଷୟରେ କେହି ହେଲେ ପଦୁଟିଏ କହୁନାହାନ୍ତି ।