ବାତ୍ୟାକୁ ଦୃଷ୍ଟିରେ ରଖି ତତ୍ପର ପ୍ରଶାସନ। ଆଶ୍ରୟସ୍ଥଳରେ ଯୋଗାଇ ଦିଆଯାଉଛି ଶୁଖିଲା ଓ ରନ୍ଧାଖାଦ୍ୟ। ଏସଆରସି କହିଲେ ବନ୍ୟାର ନାହିଁ ଭୟ, ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ହଜାରେ ଲୋକଙ୍କୁ ସ୍ଥାନାନ୍ତର: ୯ଟି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ମୁତୟନ

448

କନକ ବ୍ୟୁରୋ: ବୁଲବୁଲର ସ୍ଥିତି ନେଇ ଆଂଚଳିକ ପାଣିପାଗ କେନ୍ଦ୍ରକୁ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ଥାନୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ପାଣିପାଗ କେନ୍ଦ୍ରର ମହା ନିର୍ଦେଶକଙ୍କ ସହ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ସ୍ଥିତି ଓ ସେଥିଯୋଗୁଁ ହେଉଥିବା ବୃଷ୍ଟିପାତ ବିଷୟରେ ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା କହିଛନ୍ତି: ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ବାତ୍ୟା ଓ ବର୍ଷାଜନିତ ବିପଦ ଟଳିଛି। ୧୦୦୦ ଲୋକ ବିଳମ୍ବିତ ରାତ୍ରୀରେ ବାତ୍ୟା ଆଶ୍ରୟସ୍ଥଳକୁ ଆସିଛନ୍ତି । ଏବେ ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରୁଥିବା ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପ ଠାରୁ ୧୧୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି।

ସମ୍ଭାବ୍ୟ ବାତ୍ୟା ବୁଲବୁଲରେ ଉପକୂଳ ଜିଲ୍ଲାରେ ହେବାକୁ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ତୁହାକୁ ତୁହା ବୈଠକ କରି ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ରାଜ୍ୟ ସରକାର । ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ମାଟି ଘର, ଖାଲୁଆ ଅଂଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ସ୍ôଥାନକୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି । ପ୍ରାୟ ହଜାରେ ଲୋକଙ୍କୁ ଅଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ, ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୧୦ଟି ଜିଲ୍ଲାରେ ୨ଟି ଲେଖାଏ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି ।

 

ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ଗୋଟିଏ ଗୋଟିଏ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି । ସମୁଦ୍ର ତଟବର୍ତୀ ୬ ଜିଲ୍ଲାକୁ ୨ଟି ଲେଖାଏ ଅତିରିକ୍ତ ଅଗ୍ନିଶମ ବାହିନୀ ପଠା ଯାଇଛି । ୬୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଉପକରଣ ଓଗାଡି ସହିତ ଆବଶ୍ୟକ ସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ରଖାଯାଇଛି । ବିଦ୍ୟୁତ୍ ସରବରାହ ଭିତିଭୂମି କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ସେସୁ ଓ ନେସ୍କୋ ଅଧିକାରୀଙ୍କୁ ବିଦ୍ୟୁତ୍ ଲାଇନ ମରାମତି ଓ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଡାକ୍ତରଖାନା , ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜେନେରେଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଫଳରେ ତଳିଆ ଅଂଚଳର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ଜଗତସିଂହପୁରରେ ୨୫୦ ଜଣ ଓ ବସ୍ତା- ବାଳିଆପାଳ ଅଂଚଳରେ ୧୨୫ ଜଣ ସ୍ଥାନାନ୍ତର କରାଯାଇଛି । ସେହିପରି ବାଲିଯାତ୍ରା ପାଇଁ ପାରାଦୀପ ସମୁଦ୍ରକୂଳରୁ ଥିବା ଉଠା ବ୍ୟବସାୟୀ ସ୍ଥାନାନ୍ତର କରିଛି ପ୍ରଶାସନ । ଅନ୍ୟପଟେ ପୁରୀ ପେଣ୍ଠକଟାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ଓଡିଶା ଉପକୂଳ ଦେଇ ଅତିକ୍ରମ କରିବାବେଳେ ବେଶ୍ ପ୍ରଭାବିତ ହୋଇଛି କେନ୍ଦ୍ରାପଡା ଜିଲ୍ଳା । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଶେଷକରି ମହାକାଳପଡା , ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ମହାକାଳପଡାରେ ପବନ କମିଥିବାବେଳେ ରାଜନଗରର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପବନ ଲାଗି ରହିଛି । ଏହାର ପ୍ରଭାବରେ ବହୁ ଗଛ ଭାଙ୍ଗି ପଡିଛି । କେତେକ ସ୍ଥାନରେ ଘର ଉପରେ ମଧ୍ୟ ଗଛ ପଡିଥିବା ଜଣାପଡିଛି । ପରିସ୍ଥିତିକୁ ନଜରରେ ରଖି ୨ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।