ବିନା ମାଟିରେ ହେଉଛି ଚାଷ । ହାଇଟେକ୍ ଚାଷ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଆଶିଷ । ଚାକିରି ଛାଡି ଚାଷକୁ ଆଦରି ହୋଇଛନ୍ତି ସଫଳ

195

କନକ ବ୍ୟୁରୋ : ମାଟି ନାହିଁ । ଅଥଚ ବଢ଼ୁଛି ଗଛ । ବିନା ମାଟିରେ ହେଉଛି ଚାଷ । ଓଡ଼ିଶାରେ ପ୍ରଥମ ଥର ପାଇଁ ହାଇଡ୍ରୋପୋନିକ୍ ପ୍ରଣାଳୀରେ ବ୍ୟବସାୟ ଭିତ୍ତିକ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ୨୯ ବର୍ଷୀୟ ଯୁବ ଚାଷୀ ଆଶିଷ ମହାନ୍ତି । ମୋଟା ଅଙ୍କର ଦରମାକୁ ଛାଡ଼ି ଓଡିଶାରେ ହାଇଟେକ୍ ଚାଷ୍ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜର ସ୍ୱତନ୍ତ୍ର ଫାର୍ମ କରି ବାହାରୁ ଆମଦାନି ହେଉଥିବା ଲିଫି ଭେଜିଟେବୁଲ୍ ଓଡ଼ିଶାରେ କରିବାରେ ସଫଳ ହୋଇଛନ୍ତି । ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ଆତ୍ମନିର୍ଭଶୀଳ ହେବାକୁ ପ୍ରେରଣା ଦେଉଛନ୍ତି ଆଶିଷ ।

ଉଚ୍ଚଶିକ୍ଷିତ ଯୁବକ ଆଶିଷ ମହାନ୍ତି । ଘର ଜଗତସିଂହପୁର ପୌରାଚଂଳ ଅନ୍ତର୍ଗତ ସୁଜଙ୍ଗ ଗାଁ । ମୋଟା ଅଙ୍କର ଦରମାରେ ଚାକିରିକୁ ପଛରେ ପକାଇ ଏବେ ନିଜ ଅଂଚଳରେ ହାଇଡ୍ରୋପୋନିକ ଚାଷକୁ ଆପଣେଇଛନ୍ତି ଆଶିଷ । ଅର୍ଥାତ୍ ବିନା ମାଟିରେ କରୁଛନ୍ତି ଚାଷ । ଲାଟୁସ୍, ସିଲେରୀ, କେଲ୍, ପକ୍ଚୟ, ବେସିଲ୍ ଭଳି ଲିଫି ଭେଜିଟେବୁଲ ଏବଂ ବେଲ୍ ପେପର, ବ୍ରୋକଲି ଓ ଚେରି ଟମାଟୋ ଭଳି ଏଗ୍ଜୋଟିକ୍ ଭେଜିଟେବୁଲ ଚାଷ କରିଛନ୍ତି ଆଶିଷ । ଯାହାର ମାର୍କେଟ ଚାହିଦା ବେଶ ଅଧିକ । ଆଶିଷଙ୍କ ପଲି ହାଉସକୁ ଯିଏ ଦେଖିବ, ତାଙ୍କର ଉଦ୍ୟମକୁ ପ୍ରଶଂସା ନକରି ରହି ପାରିବ ନାହିଁ ।

ରସାୟନ ବିଜ୍ଞାନରେ ଏମ୍ଏସି କରିବା ପରେ ହାଇଦ୍ରାବାଦ୍ରେ ଏସିଆନ୍ ପେଂଟ କମ୍ପାନିରେ ପ୍ରଡକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ ଆଶିଷ । ମୋଟା ଅଙ୍କର ଦରମା ପାଉଥିଲେ ବି କିଛି ନୂଆ କରିବାର ଆଗ୍ରହ ତାଙ୍କୁ ହାଇଡ୍ରୋଫୋନିକ ବା ବିନାମାଟିରେ ଚାଷ ପ୍ରତି ଆକର୍ଷିତ କରିଥିଲା । ୟୁଟ୍ୟୁବ୍ରେ କେମିତି ଚାଷ ହେଉଛି, ତା’ର ପ୍ରଣାଳୀକୁ ଦେଖିବା ସହ ହାଇଦ୍ରାବାଦରେ ଟ୍ରେନିଂ ନେବା ପରେ ଘରକୁ ଆସି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ନିଜ ଘର ଛାତ ଉପରେ ଲିଫି ଭେଜିଟେବୁଲ୍ ଏବଂ ଏଗ୍ଜୋଟିକ୍ ଭେଜିଟେବୁଲ୍ ଗଛ ଲଗାଇଥିଲେ । ଏଥିରେ ସଫଳତା ପାଇବା ପରେ ଚାକିରି ଛାଡ଼ି ନିଜର ସ୍ୱତନ୍ତ୍ର ଫାର୍ମ ହାଇଡ୍ରୋ ଭ୍ୟାଲି ପ୍ରସ୍ତୁତ କରିଥିଲେ । ପରିବାର ଲୋକଙ୍କ ପ୍ରୋତ୍ସାହନ ଯୋଗୁଁ ଏତେବାଟ ଆଗେଇ ପାରିଛନ୍ତି ଆଶିଷ ।

ନିଜ ଘର ନିକଟରେ ସ୍ୱତନ୍ତ୍ର ଭାବେ ପଲ୍ଲୀ ହାଉସ୍ ବା ତାପ ନିୟନ୍ତ୍ରିତ ଘର ତିଆରି କରି ହ୍ରାଇଡ୍ରୋଫୋନିକ ଚାଷ ଆରମ୍ଭ କରିଛନ୍ତି ଆଶିଷ । ୨୩୦୦ ସ୍କୋୟାର ମିଟର ସ୍ଥାନରେ ୫ ହଜାର ଗଛ ଲଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଫାର୍ମରେ ପ୍ରାୟ ୩ ହଜାରରୁ ଅଧିକ ଗଛ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଏହି ପ୍ରଣାଳୀରେ ଚାଷ କରି କମ୍ ସ୍ଥାନରେ ଓ କମ୍ ପାଣିରେ ଚାଷ ହୋଇପାରୁଛି । ଏଥିରେ ଆବଶ୍ୟକ ହେଉନାହିଁ, କେମିକାଲ କିମ୍ବା ପେଷ୍ଟିସାଇଡ୍ ।

ଲିଫି ଭେଜିଟେବୁଲ୍ ଓ ଏଗ୍ଜୋଟିକ୍ ଭେଜିଟେବୁଲର ଓଡ଼ିଶାରେ ଚାହିଦା ବହୁଳ ମାତ୍ରାରେ ରହିଛି । କିନ୍ତୁ ଏଠାରେ ଚାଷ ହେଉ ନଥିବାରୁ ବାଙ୍ଗାଲୋର, କୋଲକତା ଓ ଦିଲ୍ଲୀରୁ ଓଡ଼ିଶାକୁ ଆସିଥାଏ । କିନ୍ତୁ ଗ୍ରାହକମାନେ ସତେଜ ଜିନିଷ ପାଇ ପାରନ୍ତିନାହିଁ । ପ୍ରଥମ ଥର ପାଇଁ ଓଡ଼ିଶାରେ ଚାଷ ହେଉଥିବାରୁ ଆଶିଷଙ୍କ ଫାର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜଗତସିଂହପୁର ସମେତ କଟକ, ଭୁବନେଶ୍ୱର, ପୁରୀ, କେଉଁଝରର ବିଭିନ୍ନ ରେଷ୍ଟୁରାଂଟ, ତାରକା ହୋଟେଲ୍ ଓ ଘରୋଇ ଲୋକଙ୍କୁ ସପ୍ଲାଏ କରୁଛନ୍ତି । ଅନ୍ଲାଇନ୍ ଅର୍ଡର ବି ଆସୁଛି ତାଙ୍କ ପାଖକୁ ।