କନକ ବ୍ୟୁରୋ : ଆଫଗାନିସ୍ତାନ ବିପକ୍ଷ ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ ସହ ଏସିଆ କପର ଫାଇନାଲ ଟିକେଟ ହାତେଇଛି ପାକିସ୍ତାନ । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ ଥିବା ବେଳେ ଷ୍ଟାଡିୟମରେ ମଧ୍ୟ ମାହୋଲ ବେଶ ଗରମ ଥିଲା । ମ୍ୟାଚ୍ ମଝିରେ କିଛି ଏମିତି ସ୍ଥିତି ଉପୁଜିଥିଲା ଯାହା କ୍ରିକେଟପ୍ରେମୀଙ୍କୁ ତାଜୁବ କରିଦେଇଥିଲା । କାରଣ ମ୍ୟାଚ୍ ମଝିରେ ପାକିସ୍ତାନ ବ୍ୟାଟର ଆସିଫ ଅଲ୍ଲୀ ଆଫଗାନିସ୍ତାନ ବୋଲର ଫରୀଦ ଅହମ୍ମଦଙ୍କୁ ବାଡେଇବାକୁ ବ୍ୟାଟ ଉଠାଇଥିଲେ । ଆଉ ଏହି ସମୟର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ପାକିସ୍ତାନ ବ୍ୟାଟିଂ କରୁଥିବା ବେଳେ ମ୍ୟାଚର ୧୯ତମ ଓଭରରେ ହିଁ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଆଫଗାନିସ୍ତାନର ଦ୍ରୁତ ବୋଲର ଫରୀଦ ଅହମ୍ମଦଙ୍କ ଚତୁର୍ଥ ବଲରେ ବିଶାଳ ଛକା ମାରିଥିଲେ ଆସିଫ ଅଲ୍ଲୀ । ଆଉ ଏହି ଛକା ପରେ ପାକିସ୍ତାନକୁ ୮ଟି ବଲରେ ୧୨ ରନର ଆବଶ୍ୟକତା ଥିଲା । ତେଣୁ ବିସ୍ଫୋରକ ବ୍ୟାଟର ଆସିଫଙ୍କ ଉପରେ ସମସ୍ତଙ୍କର ନଜର ଥିଲା । କିନ୍ତୁ ୧୯ତମ ଓଭରର ପଞ୍ଚମ ବଲରେ ଆସିଫ ବଡ ସଟ ଖେଲିବାକୁ ଯାଇ କ୍ୟାଚ୍ ଆଉଟ ହୋଇଥିଲେ । ଆଉ ଆସିଫଙ୍କୁ ଆଉଟ କରିବା ପରେ ଫରୀଦ ସେଲିବ୍ରେସନ କରିଥିଲେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଆସିଫ । ହଠାତ୍ ଉତକ୍ଷିପ୍ତ ହୋଇ ଉଠିଥିଲେ ଆସିଫ । ପ୍ରଥମେ ଫରୀଦଙ୍କୁ ଠେଲିଦେବା ସହ ପିଟିବାକୁ ବ୍ୟାଟ ଉଠାଇଥିଲେ ଆସିଫ । ଆଉ ଏହାର ପୂରା ଭିଡ଼ିଓ କ୍ୟାମେରାରେ କଏଦ ହୋଇଥିଲା ।

ତେବେ ଘଟଣା ଆଗକୁ ବଢିବା ପୂର୍ବରୁ ଅମ୍ପାୟାର ଓ ଅନ୍ୟ ଖେଳାଳୀ ଉଭୟଙ୍କୁ ସମ୍ଭାଳି ନେଇଥିଲେ । ତଥାପି ବେଶ କିଛି ସମୟ ମାହୋଲ ଗରମ ରହିଥିଲା । ତେବେ ନସିମ ଶାହା ଲଗାତାର ୨ଟି ବଲରେ ୨ଟି ଛକା ମାରି ପାକିସ୍ତାନକୁ ବିଜୟ ଭେଟି ଦେବା ପରେ ଷ୍ଟାଡିୟମ ଭିତରେ ଥିବା ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ଲାଗିଥିଲା ମାରପିଟ । ଆଫଗାନିସ୍ତାନର ପ୍ରଶଂସକ ମାନେ ଚେୟାର ଭାଙ୍ଗିବା ସହ ପାକିସ୍ତାନୀ ପ୍ରଶଂସକଙ୍କ ଉପରକୁ ଫିଙ୍ଗିଥିଲେ । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ତେବେ ଏନେଇ ପାକିସ୍ତାନ କ୍ରିକେଟର ସହଦାବ ଖାନ୍ କହିଛନ୍ତି, ମ୍ୟାଚ ମଝିରେ ବେଳେ ବେଳେ ଏମିତି ସ୍ଥିତି ଉତ୍ପନ୍ନ ହୁଏ । ତେଣୁ ପଡିଆ ଭିତରେ ଏହି ଘଟଣାର ପରିସମାପ୍ତି ହୋଇଯିବା ଉଚିତ୍ ।

ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଏସିଆ କପର ଫାଇନାଲ ଦୌଡରୁ ବାଦ୍ ପଡିଛି ଟିମ୍ ଇଣ୍ଡିଆ । ପୂର୍ବରୁ ଶ୍ରୀଲଙ୍କା ଫାଇନାଲ ଟିକେଟ ହାତେଇଥିବା ବେଳେ ଦ୍ୱିତୀୟ ଦଳ ଭାବେ ପାକିସ୍ତାନ ଫାଇନାଲରେ ଏଣ୍ଟ୍ରି ମାରିଛି । ଉଭୟ ଆଫଗାନିସ୍ତାନ ଓ ଭାରତ ଏସିଆ କପ ଫାଇନାଲରୁ ବିଦା ହୋଇଛନ୍ତି । ତେବେ ଆଜି ଭାରତ-ଆଫଗାନିସ୍ତାନ ଚଳିତ ଏସିଆ କପରେ ନିଜର ଶେଷ ମ୍ୟାଚ୍ ଖେଳିବ । ଉଭୟ ଟିମ୍ ୨ଟି ଲେଖାଏଁ ମ୍ୟାଚ ହାରିଥିବା ବେଳେ ଆଜି ସମ୍ମାନ ଦୃଷ୍ଟିରୁ ବିଜୟୀ ହେବାକୁ ପ୍ରୟାସ କରିବେ । ଅନ୍ୟପଟେ ଶୁକ୍ରବାର ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ସୁପର-୪ର ଶେଷ ମ୍ୟାଚ ଖେଳାଯିବ । ଔପଚାରିକତା ଦୃଷ୍ଟିରୁ ଏହି ମ୍ୟାଚ୍ ଖେଳାଯିବ, କାରଣ ପୂର୍ବରୁ ଏହି ୨ ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଉଭୟ ଟିମ୍ ମଧ୍ୟରେ ଏସିଆ କପର ଫାଇନାଲ ଫାଇଟ ହେବ । ତେଣୁ କିଏ ଚଳିତଥର ଏସିଆ କପର ଫାଇନାଲ ମୁକାବିଲାରେ ବାଜି ମାରୁଛି ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।