କନକ ବ୍ୟୁରୋ : ପକ୍ଷୀ ଆସିଲେ ଆସେ ମୌସୁମୀ । ମୌସୁମୀ ବର୍ଷାର ଆଗମନ ଦେଖି ଚଷାପୁଅ ସଜାଡେ ହଳ ଲଙ୍ଗଳ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେ କହୁଛୁ ଯାଜପୁର ଜିଲ୍ଲା ଧାନମଣ୍ଡଳ କଥା । ବର୍ଷାରୂତୁ ଆରମ୍ଭ ରୁ ଏଠାକୁ ଛୁଟି ଆସନ୍ତି ହଜାର ହଜାର ସଂଖ୍ୟାର ଗେଣ୍ଡାଳିଆ । ବର୍ଷାଋତୁ ସାରା ଏଡାରେ ରହି ଥଣ୍ଡା ମୌସୁମୀରେ ଅଣ୍ଡା ଦେଇ ଛୁଆଫୁଟାଇ ଥାନ୍ତି । ଛୁଆ ହେବା ପରେ ପୁଣି ନିଜ ପୁରୁଣାସ୍ଥାନକୁ ଫେରିଯାଆନ୍ତି ଏହି ବିଦେଶାଗତ ପକ୍ଷୀ ।
ସ୍ଥାନଟି ହେଉଛି ବଡଚଣା ବ୍ଲକ ଧାନମଣ୍ଡଳ ଷ୍ଟେସନ ବଜାର । ଏବେ ଏଠାରେ ଶୁଭୁଛି ଗେଣ୍ଡାଳିଆ ପକ୍ଷୀଙ୍କର କିଚିରି ମିଚିରି ଶଦ୍ଦ । ବଂଶବୃଦ୍ଧି ପାଇଁ ପ୍ରତିବର୍ଷ ବର୍ଷାଦିନ ଆରମ୍ଭରୁ ସୁଦୂର ସାଇବେରିଆରୁ ଉଡି ଆସନ୍ତି ଏହି ଗେଣ୍ଡାଳିଆ । ଷ୍ଟେସନ ବଜାର ପାଖାପାଖି ପ୍ରାୟ ସବୁ ଗଛରେ ଏମାନେ ବସାବାନ୍ଧି ରହିବା ସହ ଏଠାକାର ଥଣ୍ଡା ବାୟୁମଣ୍ଡଳରେ ଅଣ୍ଡାଦେଇ ଛୁଆ ଫୁଟାଇ ଥାଆନ୍ତି । ଛୁଆ ବଡ ହେଲେ ଅକ୍ଟୋବାର ମାସ ଶେଷ ବେଳକୁ ପୁଣି ଫେରିଯାଆନ୍ତି ନିଜର ପୁରୁଣା ଠିକଣାକୁ ।
ପ୍ରତିବର୍ଷ ଏହି ବିଦେଶାଗତ ପକ୍ଷୀମାନେ ପ୍ରାୟ ୭ ହଜାର କିଲୋମିଟର ଦୂରରୁ ଏଠାକୁ ଉଡି ଆସନ୍ତି । ଜୁନମାସରୁ ଅକ୍ଟୋବର ଯାଏଁ ରହିଥାନ୍ତି । ବିଶ୍ୱାସ ରହିଛି, ଗେଣ୍ଡାଳିଆ ପକ୍ଷୀ ଆସିଲେ ମୌସୁମୀ ଆସେ । ଆଉ ଚଷା ପୁଅ ଚାଷ କାମ ପାଇଁ ପାଗ ଭିଡେ । ଅକାଶ ମାର୍ଗରେ ଯୋଜନ ଯୋଜନ ଦୂରରୁ ଆସିଥିବା ଏହି ଅତିଥି ପକ୍ଷୀଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବିଶେଷ ବନ୍ଦୋବସ୍ତ କରାଯାଇଛି । ତେବେ ଏତେ ସଂଖ୍ୟକ ଏହି ବିଦେଶାଗତ ପକ୍ଷୀଙ୍କର ସୁରକ୍ଷା ଦିଗରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଆହୁରୀ ସତର୍କ ହେବାର ଆବଶ୍ୟକତା ରହିଛି ।