ଏସିଆନ ଗେମ୍ସରେ ଏଥର ଇତିହାସ ରଚିବ ଟିମ୍ ଇଣ୍ଡିଆ : ପ୍ରଥମ ଥର ପାଇଁ ୧୦୦ଟି ପଦକ ଜିତିବା ପକ୍କା

109

କନକ ବ୍ୟୁରୋ : ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଏଥର ଇତିହାସ ରଚିବାକୁ ଯାଉଛନ୍ତି । ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାରତକୁ ୧୦୦ ପଦକ ମିଳିବା ପକ୍କା ହୋଇଯାଇଛି । ଭାରତକୁ ଏଯାଏଁ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି କାଂସ୍ୟ ପଦକ ସହ ୯୫ ପଦକ ମିଳିସାରିଛି । ଏହାସହ ଆଉ କିଛି ଇଭେଂଟରେ ଭାରତ ଫାଇନାଲରେ ପହଂଚିଛି । ଆଜି ପୁରୁଷ କ୍ରିକେଟରେ ସ୍ୱର୍ଣ୍ଣପଦକ ପାଇଁ ମୁକାବିଲା ହେବ ।

ଆଫଗାନିସ୍ତାନ ସହ ଫାଇନାଲ ଖେଳିବ ଭାରତୀୟ ଦଳ । ସେପଟେ ଉଭୟ ମହିଳା ଓ ପୁରୁଷ କବାଡ଼ି ଟିମ୍ ସ୍ୱର୍ଣ୍ଣପଦକ ପାଇଁ ଲଢ଼େଇ କରିବ । ଏହାସହ ପୁରୁଷ ଯୁଗଳ ବ୍ୟାଡମିଂଟନ ଫାଇନାଲ ମଧ୍ୟ ଆଜି ଖେଳିବ ଭାରତ । ଏହାସହ ଚେସରେ ଭାରତକୁ ପଦକ ମିଳିବା ପକ୍କା ହୋଇଯାଇଛି । ଅନ୍ୟ କିଛି ଇଭେଂଟରେ ମଧ୍ୟ ଭାରତ ପଦକ ପକ୍କା କରିସାରିଛି । ତେଣୁ ଭାରତୀୟ ଖେଳାଳିମାନେ ଏଥର ଦେଶପାଇଁ ଶହେଟି ପଦକ ଆଣିବା ନିଶ୍ଚିତ କରି ସାରିଛନ୍ତି ।

ସେପଟେ, ଇତିହାସ ରଚିଲା ଭାରତର ପୁରୁଷ ହକି ଦଳ । ଦେଶ ପାଇଁ ଆଣିଲେ ସୁନା । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛି । ଶୁକ୍ରବାର ମ୍ୟାଚରେ ଚମକିଛନ୍ତି ଓଡିଆ ପୁଅ ଅମିତ୍ ରୋହିଦାସ । ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇ ପାରିନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମନଦୀପ ସିଂ ୧-୦ ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ ।

ତୃତୀୟ କ୍ୱାର୍ଟରରେ ଭାରତର ଅଧିନାୟକ ମନଦୀପ ସିଂ ଭାରତ ପକ୍ଷରୁ ଦେଇଥିଲେ ଦ୍ୱିତୀୟ ଗୋଲ୍ । ତୃତୀୟ କ୍ୱାର୍ଟରରେ ଅମିତ ରୋହିଦାସ ୩ନଂ ଗୋଲ ଦେଇଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଭାରତ ଦୁଇଟି ଗୋଲ ଦେଇଥିଲା । ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାସଲ କରିଛି ଭାରତୀୟ ହକି ଦଳ । ଦୀର୍ଘ ୯ବର୍ଷ ପରେ ଏହି ସଫଳତାର ସ୍ୱାଦ ଚାଖିଛି ଭାରତ । ଏଥିସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି ଦଳ । ପୂର୍ବରୁ ୧୯୬୬, ୧୯୯୮ ଓ ୨୦୧୪ ମସିହାରେ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।