କନକ ବ୍ୟୁରୋ : ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଫାଇନାଲକୁ ପ୍ରବେଶ କଲା ଭାରତ । ମାଲେସିଆ ସହ ଖେଳିବ ଫାଇନାଲ ମ୍ୟାଚ । ଗତକାଲି ଦ୍ୱିତୀୟ ସେମିଫାଇନାଲରେ ଜାପାନକୁ ୫-୦ ଗୋଲ୍ରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ପ୍ରଥମରୁ ହିଁ ଭାରତର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା । ପ୍ରଥମ କ୍ୱାଟର ଗୋଲ ଶୂନ୍ୟ ହୋଇଥିବା ବେଳେ ଦ୍ୱିତୀୟ କ୍ୱାଟରରେ ୩ଟି ଗୋଲ ଦେଇ ଭାରତ ଆଗୁଆ ରହିଥିଲା ।

Advertisment

ହାଫ୍ ଟାଇମ୍ ପରେ ଆଉ ଦୁଇଟି ଗୋଲ ଦେଇ ଜାପାନକୁ ପଛରେ ପକାଇ ଦେଇଥିଲା ଭାରତ । ଆକାଶଦୀପ ସିଂହ, ହରମନ୍ପ୍ରୀତ ସିଂହ, ମନ୍ଦୀପ୍ ସିଂହ ଆଦି ଦମଦାର ପ୍ରଦର୍ଶନ କରିଥିଲେ । ଶନିବାର ଦିନ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳାଯିବ । ଫାଇନାଲରେ ମାଲେସିଆ ଓ ଭାରତ ମଧ୍ୟରେ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୬-୨ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଛି ମାଲେସିଆ ।

ଭାରତୀୟ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ୩୦୦ତମ ଆନ୍ତର୍ଜାତିକ ମ୍ୟାଚ୍‌ର ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି । ଶୁକ୍ରବାର ଜାପାନ୍‌ ବିପକ୍ଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ସେମିଫାଇନାଲ୍‌ରେ ଶ୍ରୀଜେଶ ଏହି ମାଇଲଖୁଣ୍ଟ ମ୍ୟାଚ୍‌ ଖେଳିଥିଲେ । ତାଙ୍କର ଦକ୍ଷତା ଓ ଅଭିଜ୍ଞତା ଯୋଗୁଁ ଭାରତ ଏହି ମ୍ୟାଚ୍‌ରେ ଗୋଟିଏ ବି ଗୋଲ୍‌ ବରଣ କରିନଥିଲା । ଭାରତୀୟ ଦଳରେ ଶ୍ରୀଜେଶ ସବୁଠୁ ଅଧିକ ଆନ୍ତର୍ଜାତିକ ଅଭିଜ୍ଞତା ରଖିଥିବା ଖେଳାଳି ହୋଇପାରିଛନ୍ତି। ଭାରତ ପାଇଁ ସେ ୪ ବିଶ୍ବକପ୍‌ରେ ଖେଳିଛନ୍ତି ।

୨୦୧୦ ବିଶ୍ବକପ୍‌ରେ ଭାରତ ପାଇଁ ପଦାର୍ପଣ କରିଥିବା ଶ୍ରୀଜେଶ ବିଶ୍ବକପ୍‌ ବ୍ୟତୀତ ୨୦୧୪, ୨୦୧୮, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୨, ୨୦୧୬ ଓ ୨୦୨୦ ଅଲିମ୍ପିକ୍ସରେ ଖେଳି ସାରିଛନ୍ତି । ୨୦୨୧ରେ ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଦିଆଯାଇଥିଲା । ଏହାବ୍ୟତୀତ ୨୦୨୧ରେ ବିଶ୍ବର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ମଧ୍ୟ ପାଇଥିଲେ । ହକିରେ ଏକାଧିକ ପୁରସ୍କାରର ସେ ଅଧିକାରୀ ହୋଇଛନ୍ତି ।