ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ମାଲେସିଆକୁ ୪-୩ ଗୋଲରେ କଲା ପରାସ୍ତ

154

କନକ ବ୍ୟୁରୋ : ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ । ଚେନ୍ନାଇର ମେୟର ରାଧାକୃଷ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ୪-୩ ଗୋଲରେ ମାଲେସିଆକୁ ହରାଇଛି ଟିମ୍ ଇଣ୍ଡିଆ । ଏଥିସହ ଭାରତ ଚତୁର୍ଥର ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬ ଓ ୨୦୧୮ରେ ଟ୍ରଫି ଜିତିଥିଲା । ମ୍ୟାଚ୍ ଆରମ୍ଭରୁ ଆକ୍ରମଣ କରିଥିଲା ଭାରତ । ମାଲେସିଆ ମଧ୍ୟ କଡ଼ା ମୁକାବିଲା କରି ମ୍ୟାଚକୁ ଫେରିଥିଲା । ଏକ ସମୟରେ ଭାରତ ୧-୩ ଗୋଲରେ ପଛୁଆ ଥିଲା । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଭାରତ ଦମଦାର ପ୍ରତ୍ୟାବର୍ତନ କରିଥିଲା । ତୃତୀୟ କ୍ୱାର୍ଟରର ଶେଷ ମିନିଟରେ ଭାରତ ଲଗାତର ଦୁଇଟି ଗୋଲ୍ ଦେଇ ସ୍କୋରକୁ ୩-୩ରେ ବରାବର କରିଥିଲା । ମ୍ୟାଚର ୫୫ ମିନିଟ୍ ଯାଏଁ ମ୍ୟାଚ୍ ବରାବରରେ ଚାଲିଥିଲା ବେଳେ ୫୬ତମ ମିନିଟରେ ଆକାଶଦୀପଙ୍କ ଚମକ୍ରାର ଗୋଲରେ ଭାରତ ମୁକାବିଲାକୁ ଜିତିନେଇଥିଲା । ଭାରତ ପକ୍ଷରୁ ଯୁଗରାଜ ସିଂ, ହରମନପ୍ରୀତ ସିଂ, ଗୁରଜନ୍ତ ସିଂ ଓ ଆକାଶଦୀପ ସିଂ ଗୋଲ୍ ସ୍କୋର କରିଥିଲେ । ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଥିବା ଭାରତ ସେମିଫାଇନାଲରେ ଜାପାନକୁ ଏକତରଫା ଭାବେ ହରାଇଥିଲା । ସେହିପରି ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ କୋରିଆକୁ ୫-୩ ଗୋଲରେ ହରାଇଛି ଜାପାନ ।