କନକ ବ୍ୟୁରୋ : ଏସୀୟ ଚାମ୍ପିଅନ୍ସ ଟ୍ରଫି । ଆଜି ଭାରତ-ଜାପାନ ସେମିଫାଇନାଲ । ଚଳିତ ଥର ଏଯାବତ ଅପରାଜେୟ ରହିଛି ଆୟୋଜକ ଦଳ ଭାରତ । ଆଉ ଗତଥରର ଉପବିଜେତା ହେଉଛି ଜାପାନ । ଏହି ମ୍ୟାଚ୍ ରାତି ୮ଟା ୩୦ରେ ଖେଳାଯିବ । ଅନ୍ୟଏକ ସେମି ଫାଇନାଲରେ ସଂଧ୍ୟା ୬ଟାରେ ଲିଗ୍ ପର୍ଯ୍ୟାୟର ଦ୍ୱିତୀୟ-ତୃତୀୟ ଦଳ ମାଲେସିଆ -ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ ।

Advertisment

ଲିଗ୍ ପର୍ଯ୍ୟାୟରେ ଘରୋଇ ଦଳ କେବଳ ଜାପାନ ସହ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ଅନ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା । ଏଥିସହ ଭାରତ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ପହଞ୍ଚିଛି । ଜାପାନ ବିପକ୍ଷ ଲିଗ୍ ମ୍ୟାଚ୍ ଭୁଲକୁ ସେମିଫାଇନାଲରେ ଭାରତ ନ ଦୋହରାଇବାକୁ ଚେଷ୍ଟା କରିବ । ପୂରା ୬୦ ମିନିଟର ଖେଳରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଦଳ ଦବ୍ଦବା ଜାରି ରଖିବାକୁ ଚାହିଁବ ।

ବିଶ୍ୱ ମାନ୍ୟତାରେ ଭାରତ ଚତୁର୍ଥରେ ଥିଲା ବେଳେ ଜାପାନ ୧୯ରେ ରହିଛି । କିନ୍ତୁ ଢାକାରେ ଖେଳାଯାଇଥିବା ୨୦୨୧ ସଂସ୍କରଣର ସେମିଫାଇନାଲ୍ରେ ଭାରତକୁ ମାତ୍ ଦେଇ ଥିଲା ଜାପାନ । ହେଲେ ଲିଗ୍ ପର୍ଯ୍ୟାୟରେ ଭାରତ ୬-୦ ଗୋଲ୍ରେ ଜାପାନକୁ ହରାଇଥିଲା । ସେମିରେ ଅପ୍ରତ୍ୟାଶିତ ଭାବେ ୩-୫ରେ ପରାଜୟ ବରଣ କରି ଫାଇନାଲରୁ ବଞ୍ଚିତ ହୋଇଥିଲା ୩ ଥର ବିଜେତା ଭାରତ । ଏହାର ମଧୁର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଭାରତ ।