କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ କ୍ରିକେଟ୍ ମହାସମର ଏସିଆ କପ୍ । ଏହି ପ୍ରତିଯୋଗିତାରେ ଏସିଆ ମହାଦେଶର ଶ୍ରେଷ୍ଠ କ୍ରିକେଟ୍ ଦଳ କିଏ ହେବ ତାହା ଜାହିର କରିବା ପାଇଁ ୬ ଦଳକୁ ନେଇ ଆରମ୍ଭ ହେବ ଏସିଆ କପ୍ ମହାସମର। ୟୁଏଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫ୍ଗାନିସ୍ତାନ, ବାଂଲାଦେଶ ଭଳି ଆଇସିସି ମାନ୍ୟତା ଦଳ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂ ରହିଛି। ଭାରତ, ପାକିସ୍ତାନ ଓ ହଂକଂ ଗ୍ରୁପ୍ ‘ଏ’ରେ ରହିଥିଲା ବେଳେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍ଗାନିସ୍ତାନ ଗ୍ରୁପ୍ ‘ବି’ରେ ସ୍ଥାନ ପାଇଛନ୍ତି। ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍ରେ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରତ୍ୟେକ ଗ୍ରୁପ୍ର ୨ ଶ୍ରେଷ୍ଠ ଦଳ ସୁପର ୪ରେ ପହଞ୍ଚିବେ। ସୁପର ୪ରେ ୪ ଦଳ ନିଜ ନିଜ ମଧ୍ୟରେ ମୁକାବିଲା କରିବେ। ଏଥିରୁ ଶ୍ରେଷ୍ଠ ଦୁଇ ଦଳ ୨୮ ତାରିଖ ଫାଇନାଲରେ ମୁହାଁମୁହିଁ ହେବେ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜିର ଉଦଘାଟନୀ ମୁକାବିଲାରେ ‘ବି’ର ଦୁଇ ଦଳ ବାଂଲାଦେଶ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଶ୍ରୀଲଙ୍କା ୫ ଥର ଏସିଆ କପ୍ ବିଜେତା ହୋଇଥିଲା ବେଳେ ବାଂଲାଦେଶ ଟ୍ରଫି ଜିତିବାର ସୌଭାଗ୍ୟ ପାଇନି। କିନ୍ତୁ ବାଂଲାଦେଶ ୨ ଥର (୨୦୧୨, ୨୦୧୬) ଉପବିଜେତା ହୋଇସାରିଛି। ବାଂଲାଦେଶ ବିପକ୍ଷରେ ମଧ୍ୟ ଦିନିକିଆରେ ଶ୍ରୀଲଙ୍କାର ପ୍ରଦର୍ଶନ ଭଲ ରହିଛି। ଉଭୟ ୪୪ ଥର ଭେଟାଭେଟି ହୋଇଥିଲା ବେଳେ ଶ୍ରୀଲଙ୍କା ୩୬ ଏବଂ ବାଂଲାଦେଶ ୬ ବିଜୟ ପାଇଛନ୍ତି। ଅବଶିଷ୍ଟ ୨ ମ୍ୟାଚ୍ ବାତିଲ ହୋଇଛି।
ଚଳିତ ବର୍ଷ ମଧ୍ୟ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିଛି। ଗତ ଜାନୁଆରିରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଫାଇନାଲ୍ରେ ବାଂଲାଦେଶକୁ ହରାଇ ଟ୍ରଫି ହାତେଇଥିଲା ଶ୍ରୀଲଙ୍କା। ଏଥିସହ ଫେବ୍ରୁଆରିରେ ଟେଷ୍ଟ୍ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳା ମଧ୍ୟ ଜିତିଥିଲା। ଏହି ସବୁକୁ ଦେଖିଲେ ଉଦ୍ଘାଟନୀ ମୁକାବିଲାରେ ଶ୍ରୀଲଙ୍କାର ପଲ୍ଲା ଭାରି ରହିବ। କିନ୍ତୁ ନିଦାହାସ ଟ୍ରଫି ପରାଜୟ ଶ୍ରୀଲଙ୍କା ଭୁଲି ନଥିବ। ଏହି ଦଳକୁ ଦୁଇଥର ହରାଇ ବାଂଲାଦେଶ ଫାଇନାଲ୍ରେ ପହଞ୍ଚିଥିଲା। ତେଣୁ ଏସିଆ କପ୍ ଉଦଘାଟନୀ ମ୍ୟାଚ୍ ରୋମାଞ୍ଚକ ହେବାର ସମ୍ଭାବନା ରଖିଛି।