କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ସୋ । ଆଜି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଏସିଆ କପରେ ଆଜି ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଦୁବାଇର ଇଂଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଗତବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନଠୁ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ସବୁପ୍ରକାର ଚେଷ୍ଟା କରିବେ ରୋହିତ ବାହିନୀ ।

Advertisment

ଏସିଆ କପର ମୋଟ ପରିସଂଖ୍ୟାନ କିନ୍ତୁ ଭାରତ ସପକ୍ଷରେ ରହିଛି । ଏସିଆ କପର ଟି-୨୦ ଫର୍ମାଟରେ ଉଭୟ ଦଳ ୯ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୬ ଥର ଓ ପାକିସ୍ତାନ ୨ଥର ବିଜୟୀ ହୋଇଛି । ଅନ୍ୟ ଗୋଟିଏ ମ୍ୟାଚ୍ ଟାଇ ରହିବା ପରେ ଭାରତ “ବୋଲ ଆଉଟ୍’ରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚରେ ଦୁଇ ଦଳର ମୁଖ୍ୟ ଷ୍ଟ୍ରାଇକ ବୋଲର ଯଶପ୍ରୀତ ବୁମରା ଓ ସାହିନ ଆଫ୍ରିଦିଙ୍କୁ ଦେଖିବାକୁ ମିଳିବ ନାହିଁ । ତେବେ ଏବେ ଫର୍ମରେ ନଥିବା ବିରାଟ କୋହଲି ଓ ପାକିସ୍ତାନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବାବର ଆଜମଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

ଭାରତ ଓ ପାକିସ୍ତାନ ଭିତରେ ଯଦି କୌଣସି ଗୋଟିଏ କଥା ସମାନ । ତାହା ହେଲା କ୍ରିକେଟ ପ୍ରତି ଭଲ ପାଇବା । ଉଭୟ ଦେଶ ଖେଳାଳିମାନେ କ୍ରିକେଟ ଜଗତରେ ବେଶ୍ ନାଁ କମାଇ ଆସିଛନ୍ତି । ଆଜିର ମ୍ୟାଚକୁ ନେଇ ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଯାଇଛି । ନିଜ ଦଳର ବିଜୟ ପାଇଁ ସେମାନେ ଆଶାବାଦୀ ଅଛନ୍ତି । ତେବେ ଆଜିର ମ୍ୟାଚରେ କାହାର ପଲ୍ଲା ଭାରି? ଭାରତ ନା ପାକିସ୍ତାନ?