କନକ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଯେଉଁଥିରେ ଭାରତ-ପାକିସ୍ତାନ ସହିତ ଏସିଆ ମହାଦେଶର ଅନ୍ୟ କିଛି ଦେଶ ମଧ୍ୟ ସାମିଲ ହେବେ । ତେବେ ଏହା ପୂର୍ବରୁ ଆଇସିସି ରାଙ୍କିରେ ଦେଖିବାକୁ ମିଳିଛି ଏସୀୟ ଦେଶଙ୍କ ରାଜ୍ । ତିନୋଟି ଯାକ ଫର୍ମାଟରେ ଏସୀୟ ଦେଶ ନମ୍ବର-ୱାନ୍ ସ୍ଥାନ ଅକ୍ତିଆର୍ କରିଥିବାବେଳେ, ଟିମ୍ ଇଣ୍ଡିଆର ମଧ୍ୟ ରାଙ୍କିରେ ଜଲୱା ଦେଖିବାକୁ ମିଳିଛି ।

Advertisment

ଆଫଗାନିସ୍ତାନକୁ ଦିନିକିଆ ସିରିଜରେ ୩-୦ରେ ହରାଇବା ପରେ ଦିନିକିଆ ରାଙ୍କିର ପ୍ରଥମ ସ୍ଥାନକୁ ଡିଆଁ ମାରିଛି ପାକିସ୍ତାନ । ଅନ୍ୟପଟେ ଭାରତ ମଧ୍ୟ ୧୧୩ ପଏଣ୍ଟ ସହିତ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଟେଷ୍ଟ ଏବଂ ଟି-୨୦ ରାଙ୍କିର ପ୍ରଥମ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ୧୧୮ ପଏଣ୍ଟ ସହ ଦଳ ଟେଷ୍ଟର ଏକ ନମ୍ବର ସ୍ଥାନରେ ଥିବାବେଳେ, ୨୬୪ ରେଟିଂ ସହିତ ଟି-୨୦ରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି ।

ତେବେ ଆଫଗାନିସ୍ତାନ ବିରୋଧରେ କ୍ଲିନ୍ ସୁଇପ୍ କରିବା ପରେ ପାକିସ୍ତାନ ଏବେ ନମ୍ବର ୱାନ୍ ଦିନିକିଆ ଦଳ ହେଇସାରିଛି । ଏହାସହିତ ଟେଷ୍ଟରେ ପାକିସ୍ତାନ ଷଷ୍ଠ ସ୍ଥାନରେ ଥିବାବେଳେ, ଟି-୨୦ ରାଙ୍କିର ଚତୁର୍ଥ ସ୍ଥାନରେ ରହିଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଏହାପୂର୍ବରୁ ପାକିସ୍ତାନ ଏକ ନମ୍ବର ଦଳ ହେବା ଭାରତ ପାଇଁ ନିଶ୍ଚୟ ଚ୍ୟାଲେଞ୍ଜ ଆଣିଛି । କାହିଁକି ନା, ଏବେ ଏସିଆ କପରେ ଦିନିକିଆ ରାଙ୍କିର ଏକ ଏବଂ ଦୁଇ ନମ୍ବର ଦଳଙ୍କ ଭିତରେ କଡା ଟକ୍କର ଦେଖିବାକୁ ମିଳିପାରେ । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ ।