କନକ ବ୍ୟୁରୋ: ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ଶେଷ ହୋଇସାରିଛି । ବର୍ତ୍ତମାନ ସୁପର-୪ ଷ୍ଟେଜର ମ୍ୟାଚ୍ ଜାରି ରହିଥିବାବେଳେ, ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇ ସାରିଛି ପାକିସ୍ତାନ । ତେବେ ବର୍ତ୍ତମାନ ସୁପର-୪ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଖେଳାଯିବାକୁ ଅଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଥିବାବେଳେ, ଏହି ସମସ୍ତ ଉତ୍ସାହରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି ।

Advertisment

କଲମ୍ବୋର ପାଣିପାଗ ବିଭାଗର ରିପୋର୍ଟ ମୁତାବକ, ସେଠାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଅଛି । ଏମିତି ମ୍ୟାଚ୍ ଦିନ ମଧ୍ୟ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ତେଣୁ ଏପରିି ସ୍ଥିତିରେ ଯଦି ଏସିଆ କପ୍ ସୁପର-୪ ମ୍ୟାଚ୍ ବର୍ଷାରେ ଧୋଇଯାଏ, ତେବେ କେଉଁ ଟିମ୍ ଫାଇନାଲ ଖେଳିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

ଯଦି ବର୍ଷା କାରଣରୁ ସୁପର-୪ ପର୍ଯ୍ୟାୟର ଆଉ କୌଣସି ବି ମୁକାବିଲା ସମ୍ଭବ ନ ହୁଏ, ତେବେ ପାକିସ୍ତାନ ଫାଇନାଲକୁ ସିଧା ଏଣ୍ଟ୍ରି ମାରିବ । ବର୍ତ୍ତମାନ ବାଂଲାଦେଶକୁ ହରାଇ ଦଳ ପାଖରେ ଦୁଇ ପଏଣ୍ଟ ରହିଛି । ବାକି ଖେଳିବାକୁ ଥିବା ଦୁଇଟି ମ୍ୟାଚ୍ ଯଦି ସମ୍ଭବ ନହୁଏ, ତେବେ ଦଳର ପଏଣ୍ଟ ୪ରେ ପହଞ୍ଚିବ । ଯାହା ପରେ ଦଳ ସିଧା ଫାଇନାଲରେ ଏଣ୍ଟ୍ରି ମାରିବ । ଅନ୍ୟପଟେ ବାଂଲାଦେଶ ଗୋଟିଏ ମ୍ୟାଚ୍ ହାରିଥିବାରୁ, ଯଦି ଅନ୍ୟ ମ୍ୟାଚ୍ ଗୁଡିକ ଖେଳିବା ସମ୍ଭବପର ନହୁଏ, ତେବେ ବାଂଲାଦେଶ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେବ ।

ଭାରତ-ଶ୍ରୀଲଙ୍କା କିନ୍ତୁ ସୁପର-୪ ପର୍ଯ୍ୟାୟରେ ମ୍ୟାଚ୍ ନହେଲେ ଫସିବାକୁ ଯାଉଛନ୍ତି । ଯଦି ଆଗାମୀ ସମସ୍ତ ମ୍ୟାଚ୍ ରଦ୍ଦ ହେଇଯାଏ, ତେବେ ଦୁଇଟି ଯାକ ଦଳ ୩-୩ ଲେଖାଏଁ ପଏଣ୍ଟ ପାଇବେ । ଏପରି ସ୍ଥଳେ ଦୁଇଟି ଯାକ ଦଳର ରନ୍ ରେଟ୍ ମଧ୍ୟ ଶୂନ ଥିବ । ତେଣୁ ଏହି ଦୁଇଟି ଦଳ ଭିତରୁ କିଏ ଫାଇନାଲ ଖେଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବିଶେଷଜ୍ଞଙ୍କ କହିବା ମୁତାବକ, ଏପରି ସ୍ଥଳେ ଟସ୍ ପକାଇ ଫାଇନାଲ ଟିମ୍ ଧାର୍ଯ୍ୟ କରାଯାଇଥାଏ । ଆଉ ଯଦି ବର୍ଷା କାରଣରୁ ଏମିତି ହୁଏ, ତେବେ ଏସିଆ କପ୍ ଫାଇନାଲ କେଉଁ ଦୁଇଟି ଟିମ୍ ଖେଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।