ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ହେବ ଯାଞ୍ଚ : ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଲା ଏଏସଆଇ

134

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛି ଏଏସଆଇ । ଗତ ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଚିଠି ଲେଖି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଅନୁମତି ମାଗିଥିବା ଜଣାପଡିଛି । ବିପଦପୂର୍ଣ୍ଣ ଅବସ୍ଥାରେ ଭିତର ରତ୍ନଭଣ୍ଡାର ଥିବାରୁ ଖୋଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ଏବେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏହି ଚିଠି କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନର ଜବାବ୍ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଭିତର ରତ୍ନ ଭଣ୍ଡାର ଖୋଲି ସ୍ଥିତି ଅନୁଧ୍ୟାନ କରିବାକୁ ଉଦ୍ୟମ ହୋଇଥିଲା । ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ତାରିଖରେ ଏକ ୧୭ ଜଣିଆ ଟିମ୍ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭିତର ରତ୍ନ ଭଣ୍ଡାରକୁ ଖୋଲିନପାରି ଫେରି ଆସିଥିଲେ । ସେହି ସମୟରେ ଚାବି ହଜିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।

ସେହିଦିନଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗକୁ ନେଇ ତମ୍ବିତୋଫାନ ହୋଇଛି, ରାଜ୍ୟ ସରକାର କମିସନ ପରେ କମିସନ ବସାଇଛନ୍ତି । ହେଲେ ଓଡିଆଙ୍କ ଭାବାବେଗ ସହ ଜଡିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବିକୁ ନେଇ କୌଣସି ସ୍ପଷ୍ଟ ଉତର ମିଳିନାହିଁ । ଆରଟିଆଇ ତଥ୍ୟ ଅନୁସାରେ ୧୯୭୦ ମସିହା ପରଠୁ ରତ୍ନଭଣ୍ଡାର ଚାବି ଜିଲ୍ଲା ପ୍ରଶାସନ ପାଖରେ ନଥିବା ଜଣାପଡିଛି । ତେଣୁ ଭିତର ରତ୍ନଭଣ୍ଡାରର ସୁରକ୍ଷା ଓ ଠାକୁରଙ୍କ ସୁନା ଅଳଙ୍କାରକୁ ନେଇ କୋଟି କୋଟି ଓଡିଆଙ୍କ ମନରେ ସନ୍ଦେହ ଦେଖା ଦେଇଛି ।