କନକ ବ୍ୟୁରୋ: ଏମାର ମଠ ଖନନସ୍ଥଳରୁ ସିଂହମୂର୍ତି ବାହାରିବା ଘଟଣା ପରେ ଆଜି ଏଏସଆଇ ଟିମ ମଠକୁ ଯାଇ ମୂର୍ତିକୁ ନିଜ ଅଧିନକୁ ନେଇଛି । ବର୍ତମାନ ଏହି ମୂର୍ତିକୁ ଏଏଏସଆଇ ଅଫିସରେ ରଖାଯିବ । ଏମାର ମଠ ଖନନ ସ୍ଥଳରେ ଏହି ସିଂହମୂର୍ତି ମିଳିଥିଲା । ମଙ୍ଗଳବାରଦିନ ଘଟଣାସ୍ଥଳରେ ଯାଂଚ କରିଥିଲା ଏଏସଆଇ ଟିମ । ଖନନ ସ୍ଥଳରୁ ମିଳିଥିବା ସିଂହମୂର୍ତିଟି ଗଙ୍ଗବଂଶ ରାଜତ୍ୱ ସମୟର ବୋଲି ଅନୁମାନ କରାଯାଉଛି । ଏଏସଆଇ ସୁପରିଟେଣ୍ଡେ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ୍ ଖନନ ସ୍ଥଳ ଗସ୍ତ କରିବା ସହ ସିଂହମୂର୍ତି ଭଗ୍ନାବଶେଷର ଯାଂଚ କରି ପଥର ନମୁନା ସଂଗ୍ରହ କରିଥିଲା ।
ଜୁନ ୨୨ରେ ହାଇକୋର୍ଟରେ ଶୁଣାଣି ଥିବାରୁ ଏହି ସିଂହମୂର୍ତିର ଫଟୋ ଚିତ୍ରକୁ ପୂର୍ବରୁ ଦାଖଲ କରାଯାଇସାରିଛି । ଗତ ଏପ୍ରିଲ ୨୯ ତାରିଖରେ ଏମାର ମାଠ ଖନନ ସ୍ଥଳରୁ ଏକ ଭଗ୍ନ ସିଂହମୂର୍ତି ମିଳିଥିବା ଏଏସଆଇ ହାଇକୋର୍ଟକୁ ଜଣାଇ ଉଦବେଗ ପ୍ରକାଶ କରିଥିଲା । ମଙ୍ଗଳବାରଦିନ ପୁଣିଥରେ ବହୁ ପ୍ରାଚୀନ ବିରାଟ ଭଗ୍ନ ସିଂହମୂର୍ତି ଏମାର ମଠ ଖନନସ୍ଥଳରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳଥିଲା ।
ଦୁଇବର୍ଷ ତଳେ ବହୁପୁରୁଣା ଏମାରମଠକୁ ଭଙ୍ଗାଯାଇଥିଲା । ନିକଟ ଅତୀତରେ ଏହି ଖନନସ୍ଥଳକୁ ଖୋଳାଯାଇଛି । ଗତକାଲି ଖନନସ୍ଥଳରୁ ହିଁ ବିରାଟ ସିଂହମୂର୍ତି ମିଳିଛି । ଏହାର ଗୋଲେଇ ପ୍ରାୟ ୪ ଫୁଟ ଓ ଲମ୍ବା ପ୍ରାୟ ୫ ଫୁଟ ହେବ । ମୂର୍ତିର ଛାତିରୁ ମୁଣ୍ଡ ଯାଏଁ ଅଂଶ ଖନନସ୍ଥଳରେ ପଡିଥିବାବେଳେ ବାକିଅଂଶ ଏହାଠାରୁ କିଛି ଅଳ୍ପଦୂରରେ ପଡିଛି । ଗଠନ ଶୈଳୀରୁ ଏହା ବହୁ ପ୍ରାଚୀନ ବୋଲି ଅନୁମାନ କରାଯାଉଛି ।