ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏଏସଆଇ । ଜାଣନ୍ତୁ ପରିକ୍ରମା ପ୍ରକଳ୍ପକୁ ନେଇ ରିପୋର୍ଟରେ କଣ ଉଲ୍ଲେଖ କରିଛନ୍ତି ଏଏସଆଇ ।

131

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଏଏସଆଇ । ହାଇକୋର୍ଟରେ ନିଜ ପକ୍ଷ ରଖି ଏଏସଆଇ କହିଛି, ପ୍ରୋହିବିଟେଡ୍ ଏରିଆ ଓ ରେଗୁଲେଟେଡ୍ ଏରିଆ ଦୁଇଟି ଭିନ୍ନ କଥା ।

ପ୍ରୋହିବିଟେଡ୍ ଏରିଆରେ କୌଣସି ନିର୍ମାଣ କାମ ପାଇଁ ଏଏସଆଇ କି ଏନଏମଏ ପକ୍ଷରୁ ଅନୁମତି ଦେଇନଥିବା ସତ୍ୟପାଠରେ ଉଲ୍ଲେଖ ହୋଇଛି । ତେବେ ଏଏସଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ । ଉଭୟ ରାଜ୍ୟ ସରକାର ଓ ଏଏସଆଇ ମିଶି ନିର୍ମାଣ କାର୍ଯ୍ୟ କରୁଛନ୍ତି । ଏନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ତେବେ ଏହି ପ୍ରକଳ୍ପ ଫଳରେ କିଛି କ୍ଷତି ହୋଇଛି କି ନାହିଁ ସେ ବାବଦରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରିକ୍ରମା ପ୍ରକଳ୍ପର ମୂଳ ଜନସ୍ୱାର୍ଥ ମାମଲା ଉପରେ ହୋଇଥିବା ମଧ୍ୟବର୍ତିକାଳୀନ ପିଟିସନର ହୋଇଛି ଶୁଣାଣି । ପରବର୍ତି ଶୁଣାଣି ଜୁନ ୨୨ରେ ହେବ ।

ପୂର୍ବରୁ ଆମସା ଆଇନ ଉଲ୍ଲଂଘନ କରି ଶ୍ରୀମନ୍ଦିର ଚାରିପାଖେ ବେଆଇନ ଖନନ ଓ ନିର୍ମାଣକୁ ବିରୋଧ କରି ହାଇକୋର୍ଟ ଯାଇଛନ୍ତି ସାମାଜିକ କର୍ମୀ ଦିଲୀପ ବରାଳ । ଗତ ମାସ ୨୧ ତାରିଖରେ କୋର୍ଟରେ ସେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଯାହାର ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି । କିନ୍ତୁ ଆବେଦନକାରୀ ଦିଲୀପ ବରାଳ ଶୁଣାଣି ପୂର୍ବରୁ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନ ଓ ନିର୍ମାଣ କାମ ସରିଯିବା ଆଶଙ୍କାରେ ମୂଳ ମାମଲା ଉପରେ ଏକ ମଧ୍ୟବର୍ତିକାଳୀନ ପିଟିସନ ଦାୟର କରିଛନ୍ତି ।