କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସଆଇର ଅବହେଳାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ଦିର ମରାମତି କ୍ଷେତ୍ରରେ ଏଏସଆଇ କରି ଆସୁଥିବା ଅବ ହେଳାର ଚିତ୍ର ମଧ୍ୟ ବଢ଼ିବାରେ ଲାଗିଛି। ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ସିଂହଦ୍ୱାର କବାଟରେ ଫାଟ ଓ ଆର୍ଥିଂ ନ ଥିବା ସମସ୍ୟା ପରେ ଏବେ ଆଉ ଏକ ସମସ୍ୟା ପଦାକୁ ଆସିଛି। ମନ୍ଦିର ଗର୍ଭଗୃହ ଦ୍ବାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି। ପୂର୍ବରୁ ସରୁ ଥିବା ଏହି ଫାଟ ଏବେ କ୍ରମଶଃ ମେଲି ମେଲି ଆଁ କଲାଣି। ମାତ୍ର ଏଏସଆଇ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ମରାମତି ନକଲେ ଦ୍ବାରବନ୍ଧ ପ୍ରତି ଭୟଙ୍କର ବିପଦ ରହିଛି ବୋଲି ଆଶଙ୍କା କରାଯାଉଛି।
ସୂଚନାନୁସାରେ ମନ୍ଦିର ଗର୍ଭଗୃହର ଦ୍ବାରବନ୍ଧସ୍ଥିତ ଚନ୍ଦ୍ରଶିଳା ନିକଟରେ ଏହି ଫାଟ ସୃଷ୍ଟି ହୋଇଛି। କିଛି ଦିନ ପୂର୍ବରୁ ଏହି ଫାଟ ପୂରା ସରୁ ଥିଲା ଓ ଆଖିକୁ ଦେଖାଯାଉନଥିବା ସ୍ଥିତିରେ ଥିଲା। ମାତ୍ର ଏବେ ତାହା ମେଲି ଯିବାରୁ ସ୍ପଷ୍ଟଭାବେ ଆଖିକୁ ଦେଖାଯାଉଛି। ତେଣୁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏଭଳି ଅବସ୍ଥା ଲାଗି ରହିଲେ ଫାଟ ଉପରକୁ ଥିବା ପାଟପଥର ଖସିଯିବାର ଆଶଙ୍କା ରହିଛି। ତେଣୁ ଏହାକୁ ତୁରନ୍ତ ମରାମତି ନ କଲେ ପୂରା ଦ୍ବାରବନ୍ଧ ମଧ୍ୟ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି।
ଏନେଇ ବହୁ ପୂର୍ବରୁ ଏଏସଆଇକୁ ଅବଗତ କରାଯାଇଛି ବୋଲି ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ କହିଛନ୍ତି। ବରିଷ୍ଠ ସେବାୟତମାନଙ୍କ କହିବା କଥା; ଏହି ବନ୍ଧ ହେଉଛି ମନ୍ଦିର ଗର୍ଭଗୃହର ମୂଳ ଅଂଶ। ଏହା ଉପରେ ଗର୍ଭଗୃହ ରହିଛି। ବରିଷ୍ଠ ସେବାୟତ ତଥା ପୂଜାପଣ୍ଡା ନିଯୋଗର ସଭାପତି କାଶିନାଥ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ ଗତବର୍ଷ ଏହି ଫାଟ ଏକ ସୂତା ପରି ଦେଖାଯାଉଥିଲା। ତେଣୁ ଏସମ୍ପର୍କରେ ସେବାୟତମାନେ ମନ୍ଦିର ପ୍ରଶାସନକୁ ଓ ଏଏସଆଇକୁ ଜଣାଇଥିଲେ। ତେବେ ଏଏସଆଇ ଏହାକୁ ଗୁରୁତ୍ବର ସହ ନେଲା ନାହିଁ କି କୌଣସି ଅନୁଧ୍ୟାନ ବି କଲା ନାହିଁ। ଏନେଇ ବଡୁ ନିଯୋଗ ସଭାପତି ଅଞ୍ଚଳ ବଟୁ ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ଏନେଇ ଉଭୟ ମନ୍ଦିର ପ୍ରଶାସନ ଓ ଏଏସଆଇକୁ ଜଣାଇ ଦିଆଯାଇଛି। ତେବେ ଏଏସଆଇର ପଦକ୍ଷେପ ଶୂନ। ପ୍ରତ୍ନତତ୍ତ୍ବବିତ୍ ମାନସ କୁମାର ସାହୁଙ୍କ କହିବା ଅନୁଯାୟୀ ଏହି ମନ୍ଦିର ବହୁ ପୁରାତନ ହୋଇଥିବାରୁ ମନ୍ଦିର ଉପର ଚାପ ଯୋଗୁଁ ଫାଟ ହୋଇଛି କି ଅନ୍ୟ କୌଣସି କାରଣରୁ ହୋଇଛି, ତାହା ଏଏସଆଇର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବା ଉଚିତ। ପ୍ରଥମେ ଏହାର କାରଣ ଖୋଜିବାକୁ ପଡ଼ିବ। ପରେ ନିରାକରଣ ବ୍ୟବସ୍ଥା କରିବାକୁ ପଡ଼ିବ। ତଳପଟୁ ଏକ ସପୋର୍ଟ ଦିଆଯିବା ପରେ ଏହାକୁ ମରାମତି କରିବା ଆବଶ୍ୟକ ହୋଇପାରେ। ଯଦି ଫାଟ ହୋଇଗଲାଣି, ତେବେ ଏହାକୁ ତୁରନ୍ତ ମରାମତି ହେବା ଉଚିତ ବୋଲି ସେ ସତର୍କ କରାଇଛନ୍ତି।
ଏ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ସମସ୍ୟାକୁ ଏଏସଆଇର ଦାୟିତ୍ବ ବୋଲି କହିଛନ୍ତି। ତେବେ ଏନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ଏଏସଆଇର ଭୁବନେଶ୍ୱର ସଂଗ୍ରାଧୀକ୍ଷକ ସୁଶାନ୍ତ କୁମାର ଗୋଚ୍ଛାୟତଙ୍କ କହିବା କଥା ଏନେଇ ଉପରସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପଡ଼ିବ। ଏଏସଆଇର ମଣ୍ଡଳ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଏକାଦଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଅମଳରେ ନିର୍ମିତ ହୋଇଥିଲା। କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଏହି ମନ୍ଦିର ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର। ତେଣୁ ୧୦୦୦ ବର୍ଷରୁ ଅଧିକ ପୁରୁଣା ଏହି ମନ୍ଦିରରେ କୌଣସି ଫାଟ ଦେଖାଗଲେ, ମରାମତି ତୁରନ୍ତ ଆବଶ୍ୟକ।