‘ଫୋନି’ ପ୍ରଭାବିତ ବିଶ୍ୱ ଐତିହ୍ୟସ୍ଥଳୀର ପୁନଃରୁଦ୍ଧାରକୁ ଗୁରୁତ୍ୱ । କୋଣାର୍କର ସ୍ଥିତି ପରଖିଲେ ଏଏସଆଇର ଉଚ୍ଚସ୍ତରୀୟ ଟିମ୍ ।

59

କନକ ବ୍ୟୁରୋ: କଥା ରଖିଲେ କେନ୍ଦ୍ର ରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ । ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ବିଶ୍ୱ ଐତିହ୍ୟସ୍ଥଳୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶାରେ ପହଁଚିଛନ୍ତି ଏଏସଆଇର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏହି ଟିମ୍ ଏଏସଆଇ ଡି.ଜି ଶ୍ରୀମତି ଉଷା ଶର୍ମାଙ୍କ ନେତୃତ୍ୱ ଆଜି ଅପରାହ୍ନରେ ପ୍ରଥମେ କୋଣାର୍କ ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ସ୍ଥିତି ସମୀକ୍ଷା ପରେ ଏଏସଆଇ ପ୍ରତିନିଧି ଦଳ କହିଛନ୍ତି କି, ସୂର୍ଯ୍ୟମନ୍ଦିରର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ଏପରିକି ସୁର୍ଯ୍ୟ ମନ୍ଦିରେ ଶୋଭା ପାଉଥିବା ପ୍ରତିମୂର୍ତ୍ତୀ ଗୁଡ଼ିକରେ ମଧ୍ୟ କୌଣସି ପ୍ରକାର କ୍ଷତି ମଧ୍ୟ ହୋଇନାହିଁ । କିନ୍ତୁ ସୁର୍ଯ୍ୟମନ୍ଦିରର ଉପର ଭାଗର କିଛି ଅଂଶ ବାତ୍ୟା ଫୋନି ଦ୍ୱାରା ପ୍ରଭାବିତ ହୋଇଛି । 

ସବୁଠାରୁ ବଡ଼କଥା ହେଲା କି, ପର୍ଯ୍ୟଟକଙ୍କ ସୁବିଧା ପାଇଁ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଗଛ କଟାଯାଇ ରାସ୍ତା ସଫା କରାଯାଉଛି । ଯେହେତୁ ‘ଫୋନି’ ଚନ୍ଦ୍ରଭାଗାରେ ଲ୍ୟାଣ୍ଡଫଲ କରିଥିଲା ଏହାଫଳରେ ବିଦ୍ୟୁତ୍ ସେବା ଅଧିକ ପ୍ରଭାବିତ ହୋଇଛି । ଫଳରେ ଏହାର ପୁନଃରୁଦ୍ଧାର ହେବାରେ କିଛି ସମୟ ଲାଗିପାରେ । କିନ୍ତୁ ସୂର୍ଯ୍ୟମନ୍ଦିରର ବାହ୍ୟ ପାଶ୍ୱର୍ରେଥିବା ପ୍ରତିମୂର୍ତ୍ତୀକୁ କେମିକାଲ ଦ୍ୱାରା ସଫା କରାଯିବ । ଯାହା ଫଳରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ପର୍ଯ୍ୟଟକମାନେ ପୁଣି ପୂର୍ବଭଳି କୋଣାର୍କ ମନ୍ଦିର ବୁଲି ଦେଖିପାରିବେ ।

ସେପଟେ ପୁରୀ ଶ୍ରୀମନ୍ଦିର ମଧ୍ୟ କ୍ଷୟକ୍ଷତି ବା ସ୍ଥିତି ପରଖିବାକୁ ଯାଇ ପହଁଚିଛନ୍ତି ଏଏସଆଇ ଟିମ୍ । ବାତ୍ୟା ଫୋନିରେ ଶ୍ରୀମନ୍ଦିରର କ’ଣ ସବୁ କ୍ଷତି ହୋଇଛି ତାହାର ପୁଙ୍ଖାନୁପୁଂଖ ଯାଞ୍ଚ କରିବେ । ଏବଂ ଏହାପରେ ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କାରଣ ଆସନ୍ତା ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏହାର ପୁନଃରୁଦ୍ଧାର ତୁରନ୍ତ କରିବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରାଷ୍ଟ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଫଳରେ ଆଜି ଏଏସଆଇର ଉଚ୍ଚସ୍ତରୀୟ ଟିମ୍ ଗ୍ରାଉଣ୍ଡ ଜିରୋରେ ପହଁଚି ସ୍ଥିତି ପରଖିଛନ୍ତି ।