କନକ ବ୍ୟୁରୋ : ଓଡିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ କ୍ୟାବିନେଟରେ ସାମିଲ ହେବା, ଆଉ ଗୁରୁତ୍ୱପୂର୍ଣ ରେଳ ମନ୍ତ୍ରାଳୟର ଦାୟିତ୍ୱ ସଂଭାଳିବା ପରେ ରାଜ୍ୟରେ ରେଳ ବିକାଶ ନେଇ ଆଶା ଓ ସଂଭାବନା ବଢିଛି । ଯଦିଓ ପୂର୍ବରୁ ଓଡିଶାର ସାଂସଦମାନେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି କିନ୍ତୁ ସେମାନେ କେହି କ୍ୟାବିନେଟ ପାହ୍ୟା ପାଇନଥିଲେ । କଂଗ୍ରେସ ସାଂସଦ ଭାବେ କାହ୍ନୁଚରଣ ଲେଙ୍କା ଓ ଭକ୍ତ ଦାସ ରେଳ ବିଭାଗର ରାଷ୍ଟମନ୍ତ୍ରୀ ଥିଲେ । କିନ୍ତୁ ପ୍ରଥମଥର ପାଇଁ ଓଡିଶାର ସାଂସଦ ଭାବେ ଅଶ୍ୱିନୀ ପାଇଛନ୍ତି ରେଳ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ପଦ ।

Advertisment

ଏବେ ପ୍ରଶ୍ନ ଆସୁଛି ଦୀର୍ଘ ଦିନ ଧରି ରାଜ୍ୟରେ ଅଧପନ୍ତରିଆ ହୋଇ ପଡିରହିଥିବା ରେଳ ପ୍ରକଳ୍ପଗୁଡିକୁ ଅଧିକ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରିବେ କି ଅଶ୍ୱିନୀ ? ଖୋର୍ଦ୍ଧା ରୋଡ- ବଲାଙ୍ଗିର ରେଳପଥ କାମ ଶେଷ କରିବାରେ ଅଶ୍ୱିନୀଙ୍କ ବଡ ଅବଦାନ ରହିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ପାରାଦୀପ- ହରିଦାସପୁର, ବାଂଶପାଣି- ଦୈତାରୀ, ଭଦ୍ରଖ- ନିର୍ଗୁଣ୍ଡି, ରେଳପଥ କାମ ଅଧାରେ ପଡିରହିଥିବା ବେଲେ ଯୁଦ୍ଧକାଳିନ ଭିତିରେ ଏସବୁର କାମ ଆଗେଇପାରେ । ରାଉରକେଲା- ଝାରସୁଗୁଡା ଓ ନାରାୟଣଗଡ- ଭଦ୍ରକ ତୃତୀୟ ଲାଇନ୍ କାମ ଶେଷ ପାଇଁ ବି ଉଦ୍ୟମ ହୋଇପାରେ ।

ଏଠାରେ କହିରଖୁଛୁ ଯେ ୨୦୦୦- ୨୦୨୧ ଆର୍ଥିକ ବର୍ଷରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ୪ ହଜାର ୩୭୩ କୋଟି ଅନୁଦାନ ମିଳିଥିବା ବେଳେ ଚଳିତ ବର୍ଷ ଏଥିରେ ୬୦ ପ୍ରତିଶତ ବୃଦ୍ଧି ପାଇ ୬ ହଜାର ୬୯୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି କେନ୍ଦ୍ର ସରକାରା ଆଉ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରୀତ୍ୱ ସମୟରେ ଏହା ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏପଟେ ଓଡିଶା ପ୍ରତିବର୍ଷ ରେଳବାଇ କ୍ଷେତ୍ରକୁ ୧୫ ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେ ରାଜ୍ୟରେ ମାତ୍ର ୨ହଜାର ୫୦୦ କିଲୋମିଟରର ରେଳ ଲାଇନ୍ ରହିଛିା ତେଣୁ ଲଗାତର ଅବହେଳର ଶିକାର ହେଉଥିବା ଓଡିଶା, ଜଣେ ଓଡିଶା ସାଂସଦଙ୍କ ଦ୍ୱାରା ନ୍ୟାଯ୍ୟ ଅଧିକାର ପାଇବା ଆଶା ରହିଛି ।