୨୨ ବର୍ଷ ପୂର୍ବର କାହାଣୀ, ଯେତେବେଳେ ମହାବାତ୍ୟାରେ ସାହାଭରସା ସାଜିଥିଲେ ଅଶ୍ୱିନୀ । ବାଲେଶ୍ୱରରେ ବସି ଆମେରିକା ନୌସେନା ୱେବସାଇଟକୁ କରିଥିଲେ ଟ୍ରାକ, ବାତ୍ୟାର ପ୍ରତିଟି ଖବର ପହଞ୍ଚାଇ ଭୁବନେଶ୍ୱରରେ ବସିଥିବା ବଡ ବାବୁଙ୍କୁ କରିଥିଲେ ତାଜୁବ ।

460

କନକ ବ୍ୟୁରୋ : ଅଶ୍ୱିନୀ ବୈଷ୍ଣବ । ମୋଦୀଙ୍କ ନୂଆ କ୍ୟାବିନେଟରେ ସ୍ଥାନ ପାଇବା ପରେ ଏବେ ଜାତୀୟ ରାଜନୀତିର ସବୁଠୁ ବଡ ଚର୍ଚ୍ଚିତ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି । କୁହାଯାଉଛି ମୋଦିଙ୍କ ଗୁଡବୁକରେ ଥିବା ସାଂସଦଙ୍କ ମଧ୍ୟରେ ଅଶ୍ୱିନୀ ଏବେ ସବୁଠୁ ଆଗରେ । ନଚେତ ପ୍ରଥମ ଥର ସାଂସଦ ହୋଇ କାହାକୁ ବା ରେଳ, ଆଇଟି ଭଳି ଓଜନିଆ ବିଭାଗ ସହ କ୍ୟାବିନେଟ ପାହ୍ୟା ମିଳିଥାନ୍ତା । କିନ୍ତୁ ଅଶ୍ୱିନୀଙ୍କୁ ଏହି ବିଭାଗ ମିଳିବା ପଛରେ ତାଙ୍କର ଥିବା ଗଭୀର ଜ୍ଞାନ ଓ ଦକ୍ଷତା ରହିଛି ବୋଲି ଚର୍ଚ୍ଚା ହେଉଛି । ଟେକ୍ନୋଲୋଜିକୁ ଗୁରୁତ୍ୱ ଦେବା ସହ ଆଧୁନିକ ଟେକ୍ନୋଲୋଜିକୁ ବ୍ୟବହାର କରି କିଭଳି ବଡ ବଡ ବିପଦର ମୁକାବିଲା କରାଯାଏ ତାହାର ସବୁଠୁ ବଡ ଉଦାହରଣ ହେଉଛନ୍ତି ଅଶ୍ୱିନୀ । ଆଉ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀଙ୍କ ବାବଦରେ ମଧ୍ୟ ଏଭଳି ଏକ ଅଜଣା କଥା ରହିଛି, ଆଉ ତାହା ବି ପୁଣି ଓଡ଼ିଶା ସହ ଜଡ଼ିତ । ଅଶ୍ୱିନୀଙ୍କ ବାବଦରେ ଏହି ଅଜଣା କାହାଣୀ ଜାଣିବାକୁ ହେଲେ ୨୨ ବର୍ଷ ପଛକୁ ଫେରିବାକୁ ହେବ ।

୧୯୯୯, ମହାବାତ୍ୟା । ବଦଳାଇ ଦେଇଥିଲା ଓଡ଼ିଶାର ଉପକୂଳର ଭୌଗଳିକ ସ୍ଥିତି । କାରଣ ୨୨ ବର୍ଷ ପୂର୍ବେ ନା ଓଡ଼ିଶା ପାଖରେ ଥିଲା ବାତ୍ୟା ଗତିପଥକୁ ଜାଣିବାର କୌଣସି ଜ୍ଞାନକୌଶଳ ନା ବାତ୍ୟା ବାବଦରେ ମିଳୁଥିଲା ଆଗୁଆ ସୂଚନା । ଭାରତୀୟ ପାଣିପାଗ ବିଭାଗ ପାଖରେ ବାତ୍ୟାକୁ ଟ୍ରାକ କରିବାର ସେଭଳି ଆଧୁନିକ ଜ୍ଞାନକୌଶଳ ମଧ୍ୟ ନଥିଲା । ଏହି ସମୟରେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଓ କଣ ଏହାର ପ୍ରଭାବ ରହିବ ସେ ବାବଦରେ କାହା ପାଖରେ ବି ସମ୍ୟକ ସୂଚନା ବି ନଥିଲା । ଏବେ କିଛି ସେକେଣ୍ଡ ମଧ୍ୟରେ ଇଣ୍ଟରନେଟ ମାଧ୍ୟମରେ ଯେଉଁଭଳି ବିପର୍ଯ୍ୟୟ ବାବଦରେ ସୂଚନା ମିଳିପାରୁଛି ସେତେବେଳେ ସେଭଳି ସ୍ଥିତି ମଧ୍ୟ ନଥିଲା । ଏପରିକି ଏବେ ଲୋକସେବା ଭବନ କୁହାଯାଉଥିବା ସେତେବେଳର ସଚିବାଳୟର କୌଣସି କର୍ମଚାରୀଙ୍କ ପାଖରେ ଇଣ୍ଟରନେଟ ସଂଯୋଗ ମଧ୍ୟ ନଥିଲା । ଏପରିକି ମୁଖ୍ୟ ଶାସନ ସଚିବଙ୍କ ପାଖରେ ମୋବାଇଲ ଫୋନ୍ ମଧ୍ୟ ନଥିଲା । ଯାହା ଦର୍ଶାଉଥିଲା ଯେ, ରାଜ୍ୟ ସରକାର ଏତେବଡ ବିପର୍ଯ୍ୟୟର ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ହେଉଥିବେ ।

କିନ୍ତୁ ଏଭଳି ଏକ ସଙ୍ଗୀନ ସମୟରେ ବାତ୍ୟା ବାବଦରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ବାଲେଶ୍ୱରରୁ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିବା ଆରମ୍ଭ ହେଲା । ସେତେବେଳେ ବାଲେଶ୍ୱରର ଜିଲ୍ଲାପାଳ ଥାନ୍ତି ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ । ଯେତେବେଳେ ଅଧିକାଂଶ ଲୋକ ଇଣ୍ଟରନେଟ କଣ ଜାଣିନଥିଲେ ସେତେବେଳେ ଇଞ୍ଜିନିୟରିଂ ପାଠ ପଢିଥିବା ଓ ଟେକ୍ନୋଲୋଜି ଉପରେ ଦଖଲ ରଖିଥିବା ଅଶ୍ୱିନୀ ୟୁଏସ ନାଭି ୱେବସାଇଟକୁ ଟ୍ରାକ କରି ବାତ୍ୟା ବାବଦରେ ମିଳୁଥିବା ତାଜା ତଥ୍ୟର ଫଟୋକୁ ଡାଉନଲୋଡ କଲେ ଓ ଏହାକୁ ସିଧାସଳଖ ଫ୍ୟାକ୍ସ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ଅଫିସକୁ ପଠାଇଲେ । ଆଉ ଅଶ୍ୱିନୀଙ୍କ ଏହି ସୂଚନା ସେତେବେଳେ ରାଜ୍ୟ ପ୍ରଶାସନ ପାଇଁ ସାହାଭରସା ପାଲଟିଥିଲା । ଏପରିକି ବାତ୍ୟାର ପ୍ରଭାବ ଏତେ ଅଧିକ ରହିବ ବୋଲି କେହି ଆକଳନ କରିନଥିଲେ । ଆଉ ଲଗାତାର ଅଶ୍ୱିନୀ ଦେଉଥିବା ତଥ୍ୟ ଦେଖିବା ପରେ ସ୍ଥିତିକୁ ସ୍ୱାଭାବିକ କରିବାକୁ କେତେ ଯେ ସମୟ ଲାଗିଯିବ ତାହା ଉଚ୍ଚପଦସ୍ଥ ସରକାରୀ ବାବୁଙ୍କୁ ଆଶ୍ଚର୍ଯ୍ୟ କରୁଥିଲା । ଆଉ ସେତେବେଳେ ଇଣ୍ଟରନେଟ ଓ ଜ୍ଞାନକୌଶଳ ମାଧ୍ୟମରେ କିଭଳି ବିପର୍ଯ୍ୟୟର ମୁକାବିଲା କରାଯିବ ତାହାର ଫର୍ମୁଲା ଅଶ୍ୱିନୀଙ୍କ ଠାରୁ ଶିଖିବାକୁ ମିଳିଥିଲା ।

ଏହାବାଦ୍ ଅଶ୍ୱିନୀଙ୍କୁ ଆଇଟି ବିଭାଗର ଦାୟିତ୍ୱ ଦେବା ପଛରେ ମଧ୍ୟ ଆଉ ଏକ କାରଣ ମଧ୍ୟ ଥାଇପାରେ । ପୂର୍ବରୁ ପ୍ରଶାସନିକସ୍ତରରେ କାମ କରିଥିବା ଅଶ୍ୱିନୀ ଓଡ଼ିଶାର କିଛି ଜିଲ୍ଲାରେ କାର୍ଯ୍ୟ କରି ସାରିଛନ୍ତି । ତେଣୁ ଜିଲ୍ଲାକୁ କିଭଳି ବିକଶିତ କରାଯାଇପାରିବ ସେ ବାବଦରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ଇଣ୍ଟରନେଟ ଉପରେ ଅଧିକ ଦଖଲ ଥିବାରୁ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଏହାକୁ କିଭଳି ଉପଯୋଗ କରାଯାଇପାରିବ ଓ ଡିଜିଟାଲ ଇଣ୍ଡିଆର ନାରାକୁ କିଭଳି ସଫଳ କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଅଶ୍ୱିନୀଙ୍କୁ ବାଛି ଥାଇପାରନ୍ତି ମୋଦୀ । ସେହିଭଳି ପ୍ରଶାସନିକ ସେବାରୁ ଅବସର ନେଇ ପରିବହନ ଓ ମାଇନିଂ କାର୍ଯ୍ୟରେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି । ତେଣୁ ରେଳ ବିଭାଗ ଭଳି ଦାୟିତ୍ୱ ଅଶ୍ୱିନୀଙ୍କ ହାତରେ ଟେକି ଦେଇଛନ୍ତି ମୋଦୀ । ରେଳ ବିଭାଗକୁ ନେଇ ଲୋକେ ଏବେ ନାନାଦି ପ୍ରଶ୍ନ ଉଠାଉଥିବା ବେଳେ ରେଳବିଭାଗ ପ୍ରତି ଲୋକଙ୍କର ଥିବା ଆଭିମୁଖ୍ୟକୁ ପରିବର୍ତ୍ତନ କରିବାର ଗୁରୁଦାୟିତ୍ୱ ଏବେ ଅଶ୍ୱିନୀଙ୍କ ଉପରେ । ତେଣୁ ମୋଦୀ ଦେଇଥିବା ଏହି ଗୁରୁଦାୟିତ୍ୱକୁ ଅଶ୍ୱିନୀ କିଭଳି କାମରେ କରି ଦେଖାଇବେ ତାହା ତାଙ୍କ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ।