କନକ ବ୍ୟୁରୋ : ବଜେଟକୁ ନେଇ ସାମ୍ବାଦିକ ସମ୍ମଳନୀ ପରେ ଆଜି କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା । ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ରାଜ୍ୟସଭା ପଠାଇବା ସେତେବେଳେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ନେଇ କିଭଳି ଉଭୟ ଦଳ ଏକାଠି ଗ୍ରୀନ୍ ସିଗନାଲ ଦେଲେ ତାହାକୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା । କାରଣ ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବା ପୂର୍ବରୁ ଉଭୟ ବିଜେପି-ବିଜେଡିକୁ ପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିଥିଲା । ତେଣୁ ଏଭଳି ପ୍ରଶ୍ନ ଉଙ୍କି ମାରିବା ମଧ୍ୟ ସ୍ୱାଭାବିକ ଥିଲା । କିନ୍ତୁ ଏହା ଉପରୁ ଆଜି କିଛି ମାତ୍ରାରେ ପରଦା ହଟାଇଛନ୍ତି ଅଶ୍ୱିନୀ ।

Advertisment

ଉଭୟ ଦଳର ସମର୍ଥନରେ ରାଜ୍ୟସଭା ଯାଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାକୁ କିଏ ବା ବୁଝିପାରିବ । ଆଉ ଏଭଳି କହି ଅତି ଚତୁରତାର ସହ ଏହି ପ୍ରସଙ୍ଗକୁ ସସପେନ୍ସରେ ରଖିଥିଲେ ଅଶ୍ୱିନୀ । କେବଳ ଏତିକି ନୁହେଁ ଅଶ୍ୱିନୀ କହିଛନ୍ତି, ମୁଁ ରାଜନୀତିର ଛାତ୍ର ନୁହେଁ, ସମସ୍ତଙ୍କର ସ୍ନେହ ଓ ଭଲପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ମୁଁ ମନ୍ତ୍ରୀ ନୁହେଁ, ମୁଁ କାର୍ଯ୍ୟକର୍ତ୍ତା । ବିଜେପି ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଏଭଳି କହି ଅଶ୍ୱିନୀ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭା ଯିବା ପ୍ରସଙ୍ଗ ଉପରେ ଚାଦର ଢାଙ୍କିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ଅଶ୍ୱିନୀଙ୍କ ନାଁକୁ ସେତେବେଳେ ଚର୍ଚ୍ଚା ବଢିଥିଲା ଯେତେବେଳେ ନବୀନ ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିଲେ । ପରେ ବିଜେପି ମଧ୍ୟ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲା । ଯାହା ରାଜ୍ୟ ରାଜନୀତିରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ନଜିର ନଥିଲା । କିନ୍ତୁ ଏହି ଧାରାକୁ ଭାଙ୍ଗିଥିଲେ ଅଶ୍ୱିନୀ ବୈଷ୍ଣବ ।