କନକ ବ୍ୟୁରୋ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟ୍ । ରେଳବଜେଟ ଘୋଷଣା ହେବା ପରେ ଆଜି ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରେଳମନ୍ତ୍ରୀ । ଆଉ ଏହି ସାମ୍ବାଦିକ ସମ୍ମଳନୀରେ ଯୁପିଏ ସରକାର ଉପରେ ବର୍ଷିଛନ୍ତି । ଏହାସହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଯେଉଁଥିପାଇଁ ରେଳ ବଜେଟରେ ଓଡ଼ିଶାକୁ ଆଶା ଠାରୁ ଅଧିକ ମିଳିଛି । ୟୁପିଏ ସରକାର ସମୟରେ ଓଡ଼ିଶାକୁ ରେଳ ବଜେଟରେ ୮୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ୨୦୧୪ରୁ ୧୯ ମଧ୍ୟରେ ଓଡ଼ିଶାକୁ ବାର୍ଷିକ ହାରାହାରି ୪୧୨୪ କୋଟି ଟଙ୍କା ମିଳୁଥିଲା । ଯାହା ୟୁପିଏ ସରକାରରେ ମିଳୁଥିବା ରେଳବଜେଟର ଚାରିଗୁଣା ଅଧିକ  ।

Advertisment

ସେହିଭଳି ୨୦୨୦, ୨୦୨୧ରେ ମଧ୍ୟ ମୋଦୀ ସରକାର ଓଡ଼ିଶାକୁ ରେଳ ବଜେଟରେ ଆଶାନୁରୂପକ ଅର୍ଥ ମିଳିଥିଲା । ଆଉ ଚଳିତଥର ରେଳ ବଜେଟରେ ରେକର୍ଡ ୯୭୩୪ କୋଟି ଟଙ୍କା ଦେଇଛନ୍ତି ମୋଦୀ ସରକାର । ଜମି ଅଧିଗ୍ରହଣ ପ୍ରକ୍ରିୟା ଯେତେ ଶୀଘ୍ର ସରିବ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ସେହି ଅନୁସାରେ ଦ୍ରୁତ ଗତିରେ ଆଗେଇବ । ଯେତେ ଅଧିକ କାମ ହେବ ସେତେ ଅଧିକ ଟଙ୍କା ମିଳିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ଏହାଛଡା ଓଡ଼ିଶାରେ ନେଟୱର୍କ ଆସୁନଥିବା ଗାଁ ଗୁଡିକ ପାଇଁ ଟାୱାର ବ୍ୟବସ୍ଥ୍ା କରାଯାଉଛି । ଓଡ଼ିଶାରେ ୬୦୦୦ରୁ ଅଧିକ ଗ୍ରାମରେ ନେଟୱର୍କ ଆସୁନଥିବା ନେଇ ତଥ୍ୟ ରହିଛି । ଯେଉଁଥିପାଇଁ ଗତ ଡିସେମ୍ବର ମାସରେ ୩୯୩୩ ସାଇଟ ଚିହ୍ନଟ କରାଯାଇଛି ଟାୱାର ବସାଇବା ପାଇଁ । ପ୍ରତି ଟାୱାର ଦ୍ୱାରା ଏକାଧିକ ଗାଁକୁ ନେଟୱର୍କ ପଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହାବାଦ୍ ମଧ୍ୟ ଯଦି କେଉଁଠି ନେଟୱର୍କ ସମସ୍ୟା ରୁହେ ତେବେ ଏହାର ସର୍ଭେ କରି ତୁରନ୍ତ ଏହାକୁ କ୍ୟାବିନେଟରେ ମଞ୍ଜୁରି କରାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହାଛଡା ଓଡ଼ିଶାରେ ୧୨ଟି ଷ୍ଟେସନର ଡିଜାଇନ ଓ ଅପଗ୍ରେଡେସନ ଚାଲିଛି । ନୂଆ ରେଲୱେ ଲାଇନ ପାଇଁ ଓଡ଼ିଶାର ଦାବି ରହୁଥିଲା, ଏବେ ଅନେକ ସ୍ଥାନରେ ନୂଆ ଲାଇନ ପାଇଁ ମଞ୍ଜୁରୀ ମିଳିଥିବା କହିଛନ୍ତି ଅଶ୍ୱିନୀ ।