କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ଆଗାମୀ ଭବିଷ୍ୟତ ବାବଦରେ ବଡ ବୟାନ ରଖିଛନ୍ତି । କନକ ନ୍ୟୁଜର ସ୍ୱତନ୍ତ୍ର ସାକ୍ଷାତକାରରେ ଅଶ୍ୱିନୀ କହିଛନ୍ତି, ଓଡ଼ିଶାରେ ଅନେକ ପ୍ରତିଭା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାରୁ ଯାଇଥିବା ବ୍ୟକ୍ତି ବେଶ ଭଲ ପ୍ରଦର୍ଶନ କରିଥାନ୍ତି । ବାହାରେ କାମ କରୁଥିବା ଓଡ଼ିଆ ମାନେ କେବଳ ପ୍ରତିଭା ସମ୍ପନ୍ନ ନୁହଁନ୍ତି ବରଂ ବେଶ ପରିଶ୍ରମୀ ମଧ୍ୟ । ଓଡ଼ିଶା ପାଖରେ ପ୍ରାକୃତିକ ସମ୍ପଦ ଭରପୁର ରହିଛି । ତେଣୁ ବେଶ ସହଜରେ ୧୦୦ରୁ ୨୦୦ ମିଲିୟନ ଟନ୍ ଷ୍ଟିଲ, ୪୦ରୁ ୫୦ ମିଲିୟନ ଟନ୍ ଆଲୁମିନିୟମ, ଦେଶ ସାରା ଯାହା ପାୱାର ଦରକାର ତାହା ଓଡ଼ିଶାରେ ଉତ୍ପାଦନ କରିପାରିବ । ବିସ୍ତୀର୍ଣ୍ଣ ବେଳାଭୂମି ରହିଛି, ୩୦ରୁ ୪୦ ବନ୍ଦର ନିର୍ମାଣ ହୋଇପାରିବ । ଓଡ଼ିଶାର ବିକାଶ ହେଲେ ଦେଶରେ ବିକାଶ ହେବ । ପୂର୍ବୋଦୟ ପରିଯୋଜନାରେ ଓଡ଼ିଶାର ବଡ ଧରଣର ବିକାଶ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସମୟ ସହିତ ସବୁ ଜିନିଷ ପରିବର୍ତ୍ତନ ହୁଏ । କିନ୍ତୁ ଆମର ଫୋକସ ରହିବା ଦରକାର, ଯାହା ଦାୟିତ୍ୱ ମିଳିଛି ତାହାକୁ କିଭଳି ସୂଚାରୁ ରୂପେ ତୁଲାଇବା । ଆଉ ତାହାକୁ ମୁଁ ଉଚିତ ଢଙ୍ଗରେ ପାଳନ କରିବି । ସରକାର ଉପରେ ବିଶ୍ଲେଷଣ ହୁଏ । କିନ୍ତୁ ମୋର ଦାୟିତ୍ୱ କଣ ରହିଛି ତାହା ପାଳନ କରିବା ମୋର ପ୍ରଥମ କର୍ତ୍ତବ୍ୟ । ସମସ୍ତେ ଯଦି ନିଜ ନିଜର ଦାୟିତ୍ୱ ପୂରଣ କରିବେ ତାହେଲେ ଦେଶ ଉନ୍ନତିର ଶିଖରରେ ପହଞ୍ଚିବ ।