କନକ ବ୍ୟୁରୋ : ଓଡ଼ିଶାକୁ ନେଇ କେନ୍ଦ୍ର ସରକାରଙ୍କ କଣ ଯୋଜନା ରହିଛି । ଓଡ଼ିଶାକୁ ଆଗକୁ ନେବାକୁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି । ବଜେଟରେ ଓଡ଼ିଶାକୁ କେତେ ଗୁରୁତ୍ୱ ଦିଆଯାଇଛି? ସାଧାରଣ ବଜେଟ ପରେ କିଛି ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଆଉ କନକ ନ୍ୟୁଜରେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅଧିକ ବଜେଟ ଦିଆଯାଇଛି । ରେଳ ବଜେଟରେ ଓଡ଼ିଶାକୁ ଏତେ ପରିମାଣର ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ । କୌଣସି ପ୍ରକଳ୍ପକୁ ଆଗେଇ ନେବାକୁ ହେଲେ ଇଚ୍ଛାଶକ୍ତି, ଅର୍ଥ ଓ ଅନୁମତି ଆବଶ୍ୟକ । ଇଚ୍ଛାଶକ୍ତି ଆମ ନିକଟରେ ପ୍ରଚୁର ମାତ୍ରାରେ ଅଛି, ଅର୍ଥ ଯଥେଷ୍ଟ ଅଧିକ ମିଳିଛି । ଏବେ ମିଳିତ ଭାବେ ସବୁ କ୍ଷେତ୍ରରୁ ଅନୁମତି ଆଣିବା ସହ ପ୍ରକଳ୍ପ କାମ ଆଗେଇ ନେବା ।

Advertisment

ସଂଘୀୟ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଦାୟିତ୍ୱ ରହିଛି । ସମସ୍ତେ ନିଜ ନିଜ ମୌଳିକ ଦାୟିତ୍ୱ ତୁଲାଇବା ଆବଶ୍ୟକ । ଆଉ ଏଭଳି ହେଲେ ଲୋକଙ୍କ ଦାବି ନିଶ୍ଚୟ ପୂରଣ ହେବ । ଦରକାର ପଡିଲେ ତହସିଲଦାର ଓ ଆରଆଇଙ୍କ ପାଖକୁ ଯିବୁ, କିନ୍ତୁ ସବୁ କାମ କରିବୁ । ଓଡ଼ିଶା ଓ ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ଯାହା ଦରକାର ପଡିବ ତାହା କରିବୁ । ମନରେ ଅହଙ୍କାର ରଖିବା ନାହିଁ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ଆଗେଇ ନେବା ପାଇଁ ଆବଶ୍ୟକୀୟ ଅର୍ଥ ମିଳିଛି । ତେଣୁ ଏହାକୁ କିଭଳି ପୂରା କରାଯାଇପାରିବ ତାହା ଉପରେ କାମ କରିବା ।

ଓଡ଼ିଶାର ସବୁ ଅଞ୍ଚଳ ଉପରେ ଫୋକସ କରି ରେଳ ପ୍ରକଳ୍ପ ହେବ । ଓଡ଼ିଶା ପାଇଁ ଆମେ ଲଗାତାର କାମ କରିବୁ ।  ଓଡ଼ିଶାରେ କୌଣସି ପ୍ରକଳ୍ପକୁ ଆଗେଇ ନେବା ପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥାଏ । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଜଙ୍ଗଲ ଜମି ଅଧିକ ରହିଛି, ତେଣୁ ଜମି ଅଧିଗ୍ରହଣ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏହି ସମସ୍ୟାକୁ ଦୂର କରିବାକୁ ହେଲେ ଆମକୁ ଅଧିକ ପ୍ରୟାସ କରିବାକୁ ପଡିବ ।

ମୁଁ ଜିଲ୍ଲାପାଳ ଥିବା ବେଳେ ମୋତେ ଲୋକେ ଭାଇ ଡାକୁଥିଲେ, ଏବେ ମଧ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ନ ଡାକି ଭାଇ ଡାକିଲେ ଚଳିବ । ମୁଁ ଜଣେ କାର୍ଯ୍ୟକର୍ତ୍ତା ଏବଂ ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଭାଇ ଡାକିବାରେ ଅସୁବିଧା କଣ?