କନକ ବ୍ୟୁରୋ: ଯେବେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଅଧା ବାଟରେ ଅଟକାଇ ଦିଅନ୍ତି ରେଳ ମନ୍ତ୍ରୀ । ଆଉ ଟ୍ରେନରୁ ଓହ୍ଲାଇ ଲୋକଙ୍କ କଥା ବୁଝନ୍ତି ଅଶ୍ୱିନୀ ବୈଷ୍ଣବ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମରୁ ଆସିଛି ଏଭଳି କିଛି ଚିତ୍ର । ରେଳ ଟ୍ରାକ୍ ଊପରେ ରେଳ ଗଡ଼ୁଥିଲା । ରେଳରେ ଥିଲେ ଅଶ୍ୱିନୀ ବୈଷ୍ଣବ । କିନ୍ତୁ ବିନା ଷ୍ଟେସନରେ ଲୋକଙ୍କୁ ଦେଖି ହଠାତ ଅଟକି ଯାଇଥିଲା ରେଳମନ୍ତ୍ରୀଙ୍କ ଟ୍ରେନ । ତୁରନ୍ତ ଟ୍ରେନରୁ ଓହ୍ଲାଇ ଲୋକଙ୍କ କଥା ଶୁଣିଥିଲେ ରେଳମନ୍ତ୍ରୀ ।
ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ୨୦୧୭ ମସିହାରୁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଆଖପାଖ ୧୦ଟି ପଞ୍ଚାୟତର ସମସ୍ୟାକୁ ଦୁଷ୍ଟିରେ ରଖି ସାନପଦର ଠାରେ ଏକ ରେଳ ଷ୍ଟେସନ ନିର୍ମାଣ ପାଇଁ ନିବେଦନ କରିଥିଲ । ଆଉ ଗତବର୍ଷ ଏପ୍ରିଲ ମାସରେ ସାନପଦରଠାରେ ପାସେଞ୍ଜର ଷ୍ଟେସନ ହେବା ନେଇ ଚିଠି ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଷ୍ଟେସନ କାମରେ କୌଣସି ଅଗ୍ରଗତି ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଉ ଲୋକଙ୍କର ଏହି ସମସ୍ୟା କଥା ଶୁଣିବା ପରେ ଅଶ୍ୱିନୀ ବୈଷ୍ଣବ ୨୦ ଦିନ ଭିତରେ ଷ୍ଟେସନ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିିକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।