ବିଶେଷ ସୂତ୍ରରୁ କନକ ନ୍ୟୁଜକୁ ସୂଚନା । ପୁଣି ଓଡିଶାରୁ ରାଜ୍ୟସଭା ଯିବେ ଅଶ୍ୱିନୀ ବୈଷ୍ଣବ । ଗୁରୁବାର କରିବେ ନାମାଙ୍କନ ଦାଖଲ !

1,353

କନକ ବ୍ୟୁରୋ: ଓଡିଶାର ପୁଣି ରାଜ୍ୟସଭା ଯିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ୨ ଜଣ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଥିବାବେଳେ, ଗୁରୁବାର ୩ୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ୨୦୧୯ ଭଳି ଏଥର ମଧ୍ୟ ସମାନ ଢଙ୍ଗରେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ଶାସକ ବିଜୁ ଜନତା ଦଳ ।

ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆଉ ଖାଲି ପଡୁଥିବା ଏହି ଆସନ ପାଇଁ ଏବେ ନିର୍ବାଚନ ହେବ । ତେବେ ଏହି ୩ଟି ଆସନ ମଧ୍ୟରୁ ଦୁଇଟି ଆସନ ପାଇଁ ବିଜେଡି ଗତକାଲି ନିଜର ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ଏହାପରେ ଓଡିଶାରୁ ରାଜ୍ୟସଭା ପାଇଁ ୩ୟ ପ୍ରାର୍ଥୀ ଜଣକ କିଏ, ସେନେଇ ଚର୍ଚ୍ଚା ଲାଗି ରହିଥିଲା ।

ଏବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଶ୍ୱିନୀ ବୈଷ୍ଣବ ହିଁ ହେଉଛନ୍ତି ସେହି ୩ୟ ପ୍ରାର୍ଥୀ ଯିଏକି ଓଡିଶାରୁ ପୁଣିଥରେ ରାଜ୍ୟସଭା ଯିବେ । ଏଥିପାଇଁ ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଖାଲି ସେତିକି ନୁହେଁ, ରାଜ୍ୟ ବିଜେପିର ସମସ୍ତ ବିଧାୟକଙ୍କୁ ମଧ୍ୟ ଭୁବନେଶ୍ୱର ଡକାଯାଇଛି । ତେଣୁ ସମ୍ଭବତଃ ରାଜ୍ୟସଭା ପାଇଁ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି, ଆଉ ୩ୟ ଆସନରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହେଇପାରନ୍ତି ।