ଦାୟିତ୍ୱ ନେଉ ନେଉ ନୂଆ ଫର୍ମୁଲା ଆଣି ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ଏଣିକି ରେଳମନ୍ତ୍ରାଳୟରେ ଦୁଇ ସିଫ୍ଟରେ ହେବ କାର୍ଯ୍ୟ ।

269

କନକ ବ୍ୟୁରୋ: ମୋଦିଙ୍କ ଭିଜନରେ କିଭଳି ରେଳବାଇ ଆଗକୁ ବଢ଼ିବ ଓ କ୍ଷତି ଭରଣା ହେବା ସହ ଲାଭ ହେବ, ସେହି ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ଦିନରେ ନିଜ କାର୍ଯ୍ୟାଳୟରୁ ଆରମ୍ଭ କରିଛନ୍ତିି ପରିବର୍ତନର ନୂଆ ଫର୍ମୁଲା । ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ଦୁଇ ସିଫ୍ଟରେ ପରିର୍ବତନ ନୂଆ ସଂକେତ ଦେଇଛନ୍ତିି । ତାଙ୍କର ଏହି କାର୍ଯ୍ୟକୁ ନେଇ ସାରାଦେଶରେ ସେ ଚର୍ଚ୍ଚାକୁ ଆସିଛି ।

ରେଳମନ୍ତ୍ରୀ ଭାବେ ଦାୟି୍ତ୍ୱ ନେବା ପରେ ଆକ୍ସନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିଜ ଅଫିସରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କାମ କରିବାର ସମୟକୁ ସେ ବଦଳାଇ ଦେଇଛନ୍ତି । ଏଣିକି ଦୁଇଟି ସିଫଟରେ କାମ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ସିଫଟ୍ ସକାଳ ୭ଟାରୁ ଦିନ ୪ଟା ଓ ଦ୍ୱିତୀୟ ସିଫଟ ଦିନ ୩ଟାରୁ ରାତି ୧୨ଟା ଯାଏଁ ଚାଲିବ । ତତକାଳ ଏହି ନିର୍ଦ୍ଦେଶନାମା ଲାଗୁ ହୋଇଛି ।

ତେବେ ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କେବଳ ମନ୍ତ୍ରୀଙ୍କ ଅଫିସରେ ହିଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ପିପିପି ମୋଡରେ କାର୍ଯ୍ୟଶୈଳୀକୁ ସାରାଦେଶରେ ଲାଗୁ କରିଥିବା ଅଶ୍ୱିନୀ ବୈଷ୍ଣବ ରେଳ ବିଭାଗରେ ନୂଆ ଫର୍ମୁଲା ସହ ଆଗକୁ ବଢ଼ୁଛନ୍ତି ।

ଅଶ୍ୱନୀ ବୈଷ୍ଣବ । ଆଇଏଏସ ଅଧିକାରୀରୁ ଶିଳ୍ପପତି ତାପରେ ସାଂସଦ ଓ ଏବେ ରେଳମନ୍ତ୍ରୀ ବନିଥିବା ଏହି ନେତାଙ୍କୁ ନେଇ ସାରାଦେଶରେ ଚର୍ଚ୍ଚା । କିଏ ଏହି ଅଶ୍ୱିନୀ ବୈଷ୍ଣବ । ଯାହାଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି ଏତେ ବିଶ୍ୱାସ । କୁହାଯାଉଛି ଅଶ୍ୱିନୀ ହେଉଛନ୍ତି ମୋଦିଙ୍କର ବ୍ୟାକଡୋର ବୟ । ଅର୍ଥାତ ପରଦା ପଛରେ ରହି ଅନେକ ବଡ ନିଷ୍ପତି କାର୍ଯ୍ୟକାରୀ କରାଇବା ସହ ନୂଆ ଯୋଜନା ବି ପ୍ରସ୍ତୁ୍ତ କରିଛନ୍ତି ।

୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଅଶ୍ୱିନୀ ଓଡିଶାର କିଛି ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଏପରିକି ପିଏମଓର ଉପସଚିବ ଏବଂ ପୂର୍ବର୍ତନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟୀତ୍ୱ ତୁଲାଇ ଉଭୟ ପ୍ରଶାସନିକ ଓ ରାଜନୈତିକ ଅଭିଜ୍ଞତା ହାସଲ କରିଛନ୍ତି ।

ଯେତେବେଳେ ସାରା ଓଡିଶା ସାମନାରେ ୧୯୯୯ ମହାବାତ୍ୟା ବିପଦ ନେଇ ଆସୁଥିଲା ସେତେବେଳେ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାତ୍ୟାର ଗତି ପଥ ନେଇ ସରକାରଙ୍କୁ ଅବଗତ କରାଉଥିଲେ । ପ୍ରଶାସନିକ କାର୍ଯ୍ୟରୁ ଅବ୍ୟାହତି ନେବା ପରେ ଖଣିଜ , ଭିତିଭୂମି, ଓ ପରିବହନ କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଅଶ୍ୱିନୀ ବୈଷ୍ଣବ । ଏବେ ଯେଉଁ ଦୁଇଟି ବିଭାଗର ଦାୟୀତ୍ୱ ତାଙ୍କୁ ଦିଆଯାଇଛି ତାହା ସିଧାସଳଖ ଏସବୁ ଦିଗ ସହ ଜଡିତ । ତେଣୁ କ୍ଷ୍ତିରେ ଚାଲୁଥିିବା ରେଳବାଇକୁ ଲାଭ ପହଁଚାଇବା ଓ ବୈଷୟିକ ଜ୍ଞାନକୌଶଳର ନୂଆ ନୀତିକୁ କିଭଳି ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ କରାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।