ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରସ୍ତାବ ଦେବୁ । ବିଧାୟକ ଭାବେ ଶପଥ ନେବା ପରେ ବଡ ବୟାନ ଦେଲେ ଅଶ୍ୱିନୀ ପାତ୍ର।

744

କନକ ବ୍ୟୁରୋ : ଆଜି ବିଧାନସଭାରେ ନବ ନିର୍ବାଚିତ ବିଧାୟକ ଶପଥଗ୍ରହଣ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି । ପ୍ରଥମଥର ପାଇଁ ବିଜେଡି ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ତେବେ ବିରୋଧୀ ଦଳ ନେତା କିଏ ହେବ ତାହା ଉପରୁ ଏଯାଏଁ ପରଦା ହଟିନି । ଏଭଳି ସ୍ଥଳେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ବଡ ବୟାନ ଦେଇଛନ୍ତି । ଅଶ୍ୱିନୀ କହିଛନ୍ତି, ଆସନ୍ତାକାଲି ଅପରାହ୍ନରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରସ୍ତାବ ଦେବୁ ।

ସେହିଭଳି ଦଳର ପରାଜୟକୁ ନେଇ ଅଶ୍ୱିନୀ କହିଛନ୍ତି, ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହେବ । ଯେଉଁ କମିଟି ପରାଜୟର କାରଣ ଖୋଜିବ । ଏନେଇ ବିଜେଡି ସୁପ୍ରିମୋ ଖୁବଶୀଘ୍ର ନିଷ୍ପତ୍ତି ନେବେ । ଯେଉଁ ଜନାଦେଶ ମିଳିଛି ସେହି ଆଧାରରେ ବିରୋଧୀ ଦଳ ଭୂମିକାରେ କାମ କରିବୁ । ସେବା ସମର୍ପଣ ଭାବନା ନେଇ ଲୋକଙ୍କ ସେବା କରିବୁ ଏବଂ ଓଡ଼ିଶାର ପ୍ରଗତି ପାଇଁ ଚେଷ୍ଟା କରିବୁ ।

ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ହେବ । କିଏ ବିରୋଧୀ ଦଳ ନେତା ହେବ ଦଳ ସଭାପତି ଚିନ୍ତା କରିବେ ସେ ନିଜେ ମଧ୍ୟ ହୋଇପାରନ୍ତି ବିରୋଧୀ ଦଳ ନେତା । ବିଜେଡି ହାରିବାର ଅନେକ କାରଣ ରହିଛି । ଆମେ ଜିତିଯିବୁ ବୋଲି ଅଧିକ ଆତ୍ମବିଶ୍ୱାସ ଥିଲା । ତାହା ମଧ୍ୟ ପରାଜୟର ଅନ୍ୟ ଏକ କାରଣ । ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ନିର୍ବାଚନରେ କାମ ଦେଲା । କିନ୍ତୁ ନବୀନ ସରକାରରେ ଓଡ଼ିଆ ଅସ୍ମିତା ପାଇଁ ଅନେକ କାମ ହୋଇଛି । ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନବୀନ ସରକାର ଅନେକ କାମ କରିଛି । ପରାଜୟର କାରଣ ପାଣ୍ଡିଆନ କି ପ୍ରଶ୍ନରେ ବଦ୍ରି କହିଛନ୍ତି, ସେ ବିଷୟରେ ବି ଆଲୋଚନା ହେବ । ସବୁ ଦଳରେ ଅସନ୍ତୋଷ ଥାଏ ଆମ ଦଳରେ ବି ଅଛି । ତା ସତ୍ୱେ ବି ଦଳ ଆଗକୁ ବଢିବ ।