ମା’ଙ୍କ କଥା ଶୁଣି କାନ୍ଦି ପକାଇଥିଲେ ଅଶ୍ୱିନୀ: ଚାର୍ଟାଡ ପ୍ଲେନ ବୁକ୍ କରି ଘରକୁ ପଠାଇଥିଲେ ରୋହିତ

1,076

କନକ ବ୍ୟୁରୋ: ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ବିଜୟୀ ହୋଇଥିଲା । ଏହି ଟେଷ୍ଟ ସିରିଜର ତୃତୀୟ ମ୍ୟାଚର ଦ୍ୱିତୀୟ ଦିନରେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ନିଜ ଘରକୁ ଫେରିଯାଇଥିଲେ । ଅଶ୍ୱିନୀ କାହିଁକି ଅଧା ମ୍ୟାଚରୁ ଘରକୁ ଚାଲିଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ପରେ ଜଣା ପଡିଥିଲା ଯେ ତାଙ୍କ ମା’ ଅସୁସ୍ଥ ଥିଲେ । କିନ୍ତୁ ଅଶ୍ୱିନୀ ଗୋଟିଏ ପରେ ପୁଣି ମ୍ୟାଚ ଖେଳିବାକୁ ଫେରି ଆସିଥିଲେ । ଆଉ ସେଠାରୁ ଆସି ସେ ଏକ ବଡ ଖୁଲାସା କରିଛନ୍ତି ।

ନିଜ ୟ୍ୟୁଟୁବ ଚ୍ୟାନେଲରେ ଅଶ୍ୱିନୀ କହିଥିଲେ, ସମୟରେ ଘରୁ ଖବର ଆସିଥିଲା ମା’ଙ୍କ ଦେହ ଅସୁସ୍ଥ ଅଛି । ଆଉ ଏ ଖବର ଶୁଣି ମୁଁ କାନ୍ଦି ପକାଇଥିଲି । ଏହାପରେ କ୍ୟାପଟେନ ରୋହିତ ଶର୍ମା ଓ କୋଚ ରାହୁଲ ଦ୍ରାବିଡ ମୋ ରୁମକୁ ଆସି ଘରକୁ ଯିବାକୁ କହିଥିଲେ । ହେଲେ ସେତେବେଳେ ରାଜକୋଟରେ କୌଣସି ଫ୍ଲାଇଟର ସୁବିଧା ନଥିଲା । ଆଉ ଏଭଳି ସ୍ଥିତିରେ ରୋହିତ ଶର୍ମା ଯାହା କରିଥିଲା ତାହା ସମସ୍ତଙ୍କ ହୃଦୟ ଜିତିଥିଲା । ରୋହିତ ବହୁ ଚେଷ୍ଟା କରି ଅଶ୍ୱିନୀଙ୍କ ପାଇଁ ଏକ ଚାର୍ଟାଡ ପ୍ଲେନ ବୁକ କରିଥିଲେ ।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନୀ ନିଜ କ୍ୟାରିୟରର ୫୦୦ତମ ୱିକେଟ ନେଇଥିଲେ । ଆଉ ସେହି ମ୍ୟାଚ ପରେ ହିଁ ତାଙ୍କ ମା ଅସୁସ୍ଥ ହୋଇପଡିଥିଲେ । ସେ ଡାକ୍ତରଙ୍କୁ ପଚାରିଥିଲେ ମା ଏବେ କେମିତି ଅଛନ୍ତି, ଡାକ୍ତର ଉତ୍ତର ଦେଇଥିଲେ ସେ ଏବେ ବେହୋସ ଅଛନ୍ତି, ସେ ଦେଖିଲା ଭଳି ସ୍ଥିତିରେ ନାହାନ୍ତି । ଏତିକି ଶୁଣି ଅଶ୍ୱିନୀଙ୍କ ଆଖିରେ ଲୁହ ଆସିଗଲା । ଆଉ ସଙ୍ଗେ ସଙ୍ଗେ ରାଜକୋଟରୁ ଚନ୍ନୋଇକୁ ଫ୍ଲାଇଟ ଦେଖିବା ଆରମ୍ଭ କରିଥିଲେ । ତାଙ୍କୁ କୌଣସି ଫ୍ଲାଇଟ ମିଳିନଥିଲା । କାରଣ ରାଜକୋଟ ଏୟାରପୋର୍ଟ ସନ୍ଧ୍ୟା ୬ଟାରେ ବନ୍ଦ ହୋଇଯାଏ । ଆଉ ସେହି ସମୟରେ ରୋହିତ, ରାହୁଲ ତାଙ୍କ ରୁମକୁ ଆସିଥିଲେ ।

ଅଶ୍ୱିନୀ କହିଥିଲେ କି, ସେତେବେଳେ ସମୟ ୯ଟା ୩୦ ହେବ । ମୁଁ ମାଙ୍କ ଦେହ ଖରାପ ଖବର ଶୁଣି ଅବାକ ହୋଇ ଯାଇଥିଲି । ମୋତେ କିଛି ବୁଦ୍ଧି ବାଟ ଦେଖାଯାଉନଥିଲା । ହେଲେ ରୋହିତ ଶର୍ମା ଚାରିଆଡେ ଫୋନ ଲଗାଉଥାନ୍ତି ଫ୍ଲାଇଟ ବୁକ କରିବାକୁ । ମୁଁ ସେତେବେଳେ ଭାବିଲି ମୁଁ ଯଦି କ୍ୟାପଟେନ ଥାନ୍ତି ତେବେ ମୋ ଖେଳାଳିଙ୍କ ଏଭଳି ସ୍ଥିତିରେ ତାଙ୍କୁ ଘରକୁ ଯିବାକୁ କହିଥାନ୍ତି । ହେଲେ ରୋହିତ କିନ୍ତୁ ମୋ ପାଇଁ ବ୍ୟସ୍ତ ହୋଇପଡିଥିଲେ ଆଉ ସବୁଆଡେ ଫୋନ କରିଥିଲେ । ସେଦିନ ମୁଁ ରୋହିତଙ୍କ ଭିତରେ ଗୋଟେ ଜବରଦସ୍ତ ଲିଡରକୁ ଦେଖିଥିଲି ।

ସେ ଆହୁରି କହିଥିଲେ କି, ମୁଁ ଅନେକ ଅଧିନାୟକଙ୍କ ଅଧିନରେ ଖେଳିଛି । ହେଲେ ରୋହିତ ସେମାନଙ୍କଠାରୁ ଅଲଗା । ତାଙ୍କ ହୃଦୟ ସଫା । ସେ ଧୋନୀଙ୍କ ବରାବରରେ ୫ଟି ଆଇପିଏଲ ଟ୍ରଫି ଜିତିଛନ୍ତି । ଏହା ସହଜ ନୁହେଁ । ଧୋନୀ ବି ସାହାଯ୍ୟ କରନ୍ତି ହେଲେ ରୋହିତ ତାଙ୍କଠାରୁ ଗୋଟେ ପାଦ ଆଗରେ ।