ଅଶ୍ୱିନ ଦେଲେ ଚେତାବନୀ । ଫିଞ୍ଚକୁ ଆଉଟ୍ କଲେନି, କହିଲେ, ଆଇପିଏଲ ୨୦୨୦ର ଏହା ଶେଷ ଚେତାବନୀ । ପରେ ଆଉ କେହି ମୋତେ ଦୋଷ ଦେବନି । 

957

ଗତକାଲି ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋରକୁ ୫୯ ରନରେ ହରାଇ ବଡ ବିଜୟ ହାସଲ କରିଛି ଦିଲ୍ଲୀ । ଆଉ ଏହାସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଦିଲ୍ଲୀ । ତେବେ ଏହି ମ୍ୟାଚର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ବାଙ୍ଗାଲୋରର ବ୍ୟାଟିଂ ପାଳିର ତୃତୀୟ ଓଭରରେ ଅଶ୍ୱିନଙ୍କ ଆଡକୁ ସମସ୍ତେ ଚାହିଁ ରହିଥିଲେ । କାରଣ ବାଙ୍ଗାଲୋରର ଆରୋନ ଫିଞ୍ଚଙ୍କୁ ଆଉଟ୍ କରିବାକୁ ସୁଯୋଗ ଥିଲେ ମଧ୍ୟ ସେ କରିନଥିଲେ । ଅଶ୍ୱିନ ବଲ୍ ଫିଙ୍ଗିବା ପୂର୍ବରୁ ଫିଞ୍ଚ କ୍ରିଜ ଛାଡିଦେଇଥିଲେ, ଆଉ ଏହି ସମୟରେ ବଲ ନ ପକାଇ ରହି ଯାଇଥିଲେ ଅଶ୍ୱିନ । କ୍ରିଜ ଛାଡିଥିବାରୁ ଫିଞ୍ଚଙ୍କୁ ମାଙ୍କଡିଙ୍ଗ ଆଉଟ୍ କରିବାର ସୁଯୋଗ ଅଶ୍ୱିନଙ୍କ ପାଖରେ ରହିଥିଲା । କିନ୍ତୁ ଏପରି କରିନଥିଲେ ଅଶ୍ୱିନ, ବରଂ ଫିଞ୍ଚକୁ  ଚାହିଁ ପୁଣିଥରେ ବୋଲିଂ କରିବାକୁ ଚାଲି ଯାଇଥିଲେ । ଆଉ ଏହାର ଭିଡ଼ିଓ ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ତେବେ ଫିଞ୍ଚ ଙ୍କୁ ମାକଡିଙ୍ଗ ଆଉଟ ନ କରିବା ନେଇ ମଜାଳିଆ ଢଙ୍ଗରେ ଟ୍ୱିଟ୍ କରି ଏହାର ଉତ୍ତର ରଖିଛନ୍ତି ଅଶ୍ୱିନ । ଅଶ୍ୱିନ କହିଛନ୍ତି, ୨୦୨୦ ଆଇପିଏଲର ଏହା ପ୍ରଥମ ଓ ଶେଷ ଚେତାବନୀ । ଏହାପରେ ମୋତେ ଆଉ ଦୋଷ ଦେବ ନାହିଁ । ଏହାସହ ରିକି ପଣ୍ଟିଂ, ଆରୋନ ଫିଞ୍ଚଙ୍କୁ ଟ୍ୟାଗ୍ କରି ଅଶ୍ୱିନ ଲେଖିଛନ୍ତି ଆମେ ଭଲ ବନ୍ଧୁ । ତେବେ ଅଶ୍ୱିନଙ୍କ ଭିଡ଼ିଓ ଯେଉଁଭଳି ଭାଇରାଲ ହୋଇଥିଲା ଟ୍ୱିଟ୍ ମଧ୍ୟ ସେହିଭଳି ଭାଇରାଲ ହୋଇଛି । ଲୋକେ ମଧ୍ୟ ମଜାଳିଆ କମେଣ୍ଟ କରୁଛନ୍ତି । ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ  କହିଥିଲେ ଯେ, ମାଙ୍କଡିଙ୍ଗ ଆଉଟ କରିବା ପୂର୍ବରୁ ଅଶ୍ୱିନ ବ୍ୟାଟସମ୍ୟାନକୁ ଥରେ ଚେତାବନୀ ଦିଅନ୍ତୁ । ଆଇପିଏଲର ପୂର୍ବ ସିଜିନରେ ମଧ୍ୟ ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ ବଟଲରଙ୍କୁ ମାଙ୍କଡିଙ୍ଗ ଆଉଟ କରି ଚର୍ଚ୍ଚାକୁ ଆସିଥିଲେ ଅଶ୍ୱିନ ।