କନକ ବ୍ୟୁରୋ : ଭାରତୀୟ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ନିଜ କ୍ରିକେଟ କ୍ୟାରିୟରକୁ ବଡ ଖୁଲାସା କରିଛନ୍ତି । ଅଶ୍ୱିନୀ କହିଛନ୍ତି, ୨୦୧୮ରେ ଇଂଲଣ୍ଡ ସିରିଜ ପରେ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଚିନ୍ତା କରୁଥିଲି । କାରଣ ସେତେବେଳେ ଦଳ ପାଇଁ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେଭଳି ସମର୍ଥନ ମିଳୁନଥିବା ଅନୁଭବ କରୁଥିଲି । ୩ ବର୍ଷ ର୍ପୂର୍ବେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ୬ଟି ବଲ ପକାଇବା ପରେ ଥକା ଅନୁଭବ ହେଉଥିଲା । ତେବେ ଏହା ପରେ ନିଜ ବୋଲିଂ ଶୈଳୀରେ ପରିବର୍ତ୍ତନ ଆଣିବା ପରେ ପ୍ରଦର୍ଶନରେ ମଧ୍ୟ ଯଥେଷ୍ଟ ସୁଧାର ଆସିଥିଲା । ଗତ କିଛି ବର୍ଷ ହେବ ଅଶ୍ୱିନୀ କେବଳ ବୋଲିଂ ବଳରେ ଦଳକୁ ବିଜୟ ଭେଟି ଦେଇନାହାନ୍ତି ବରଂ ନିଜ ବ୍ୟାଟିଂ ବଳରେ ଅନେକ ପରାଜୟରୁ ଦଳକୁ ରକ୍ଷା କରିଛନ୍ତି ।
ଏକ ସାକ୍ଷାତକାରରେ ଅଶ୍ୱିନୀ କହିଛନ୍ତି, ୨୦୧୮ରୁ ୨୦୨୦ ମଧ୍ୟରେ ଅନେକ କିଛି ଦେଖିବା ପରେ ଖେଳରୁ ସନ୍ନ୍ୟାସ ନେବାକୁ ବିଚାର କରୁଥିଲି । ଯେତେ ପ୍ରୟାସ କରିଲେ ମଧ୍ୟ ବିଫଳ ହେବା ଭଳି ଲାଗୁଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ୬ଟି ବଲ ପକାଇବା ପରେ ଥକା ଅନୁଭବ କରୁଥିଲି । ଭଲରେ ନିଶ୍ୱାସ ନେବାକୁ କିଛି ସମୟ ଆରାମ କରିବାକୁ ପଡୁଥିଲା । ପୂରା ଶରୀରରେ ପୀଡା ହେଉଥିଲା । ଲୋକେ ସେତେବେଳେ ମୋର ଆହତ ସମସ୍ୟାକୁ ନେଇ ଏତେ ଚିନ୍ତିତ ନଥିଲେ । ସେତେବେଳେ ମୋ ପାଖରେ ଏମିତି କୌଣସି ଲୋକ ନଥିଲେ ଯାହା ପାଖରେ ମୋର କଷ୍ଟ ବଖାଣିପାରିଥାନ୍ତି । ଅନେକ ଖେଳାଳୀଙ୍କୁ ଏଭଳି ଆହତ ସମସ୍ୟା ସମୟରେ ଟିମ୍ ମ୍ୟାନେଜମେଣ୍ଟ ଓ ଅନ୍ୟ ସ୍ଥାନରୁ ସମର୍ଥନ ମିଳିଥାଏ । କିନ୍ତୁ ମୋ ସହିତ ସେମିତ କିଛି ହୋଇନଥିଲା । ଜଣେ ଖେଳାଳୀ ଭାବେ ଦଳ ପାଇଁ ମୋର ଅବଦାନ ମଧ୍ୟ କିଛି କମ ନଥିଲା । କିନ୍ତୁ ଯେତେବେଳେ ମୋର ଆବଶ୍ୟକତା ଥିଲା ସେତେବେଳେ ମୋ ପାଖରେ କେହି ନଥିଲେ ।
କାହା ପାଖରୁ ସାହାଯ୍ୟ ନେବାର ଅଭ୍ୟାସ ମୋ ପାଖରେ ନାହିଁ । କିନ୍ତୁ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଲାଗୁଥିଲା ଯେ, ବିନା କାହା ସାହାରାରେ ମୁଁ ଆଗକୁ ବଢିପାରିବି ନାହିଁ । ଯେତେବେଳେ ମୁଁ ସନ୍ନ୍ୟାସ ନେବାକୁ ଚିନ୍ତା କରୁଥିଲି ସେତେବେଳେ ଏକମାତ୍ର ବ୍ୟକ୍ତି ଭାବେ ମୋ ବାପା ହିଁ ଧଳା ବଲ କ୍ରିକେଟରେ ମୋର ପ୍ରତ୍ୟାବର୍ତ୍ତନ ପାଇଁ ଆଶା ରଖିଥିଲେ । ଏପରିକି ମୃତ୍ୟୁ ପୂର୍ବରୁ ଧଳା ବଲ କ୍ରିକେଟରେ ପ୍ରତ୍ୟାବର୍ତ୍ତନ ମୋର ପ୍ରତ୍ୟାବର୍ତ୍ତନ ହେଉ ବୋଲି ଚାହୁଁଥିଲେ ବାପା । ଏହା ତାଙ୍କର ବ୍ୟକ୍ତିଗତ ଇଚ୍ଛା ଥିଲା । ଆଉ ଏହାର କିଛି ଦିନ ମଧ୍ୟରେ ପରିସ୍ଥିତି ବଦଳିଥିଲା । ପୁଣିଥରେ ଭାରତୀୟ ଟିମରେ ସ୍ଥାନ ପକ୍କା କରିପାରିଥିଲେ ଅଶ୍ୱିନୀ ।