କାନପୁର ଟେଷ୍ଟରେ ଅଶ୍ୱିନୀଙ୍କ ନାଁରେ ଆଉ ଏକ ରେକର୍ଡ । ହରଭଜନଙ୍କୁ ପଛରେ ପକାଇଲେ, କପିଲ ଦେବଙ୍କ ପଛରେ ରହିଲେ ।

127

କନକ ବ୍ୟୁରୋ : କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନୀ । ନ୍ୟୁଜିଲାଣ୍ଡର ଲଥାମଙ୍କ ୱିକେଟ ନେବା ସହ ଟେଷ୍ଟ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ କ୍ଲବରେ ନିଜକୁ ସାମିଲ କରିଛନ୍ତି । ହରଭଜନ ସିଂଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ଅଶ୍ୱିନୀ । ପୂର୍ବରୁ ହରଭଜନ ଟିମ୍ ଇଣ୍ଡିଆ ପାଇଁ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳିବା ୪୧୭ଟି ୱିକେଟ ହାସଲ କରିଥିଲେ ।ଆଉ ଏହାସହ ଭାରତ ପାଇଁ ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ ସାଜିଥିଲେ । ତେବେ ଆଜି ଏହି ସ୍ଥାନରୁ ହରଭଜନଙ୍କୁ ହଟାଇ ଅଶ୍ୱିନୀ ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ ତାଲିକାରେ ସାମିଲ ହୋଇଛନ୍ତି ।

ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ତାଲିକାର ସବୁଠୁ ଉପରେ ରହିଛନ୍ତି ଅନୀଲ କୁମ୍ବଲେ । ମୋଟ ୧୩୨ଟି ମ୍ୟାଚରୁ ୬୧୯ଟି ୱିକେଟ ହାସଲ କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି କୁମ୍ବଲେ । ଏହାସହ ନିଜ ଟେଷ୍ଟ କ୍ରିକେଟ କ୍ୟାରିୟରରେ ୩୫ ଥର ୫ ୱିକେଟରୁ ଅଧିକ ହାସଲ କରିଛନ୍ତି କୁମ୍ବଲେ । ସେହିଭଳି ଭାରତକୁ ବିଶ୍ୱବିଜୟୀ କରାଇଥିବା କପିଲ ଦେବ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କପିଲ ଦେବ ୧୩୧ ଟେଷ୍ଟ ମ୍ୟାଚରୁ ୪୩୪ଟି ୱିକେଟ ହାସଲ କରିଛନ୍ତି । ଏହି ତାଲିକାର ୫ମ ସ୍ଥାନରେ ଇଶାନ୍ତ ଶର୍ମା ରହିଛନ୍ତି । ଯିଏ ୧୦୫ଟି ମ୍ୟାଚରୁ ୩୧୧ଟି ୱିକେଟ ହାସଲ କରିଛନ୍ତି ।

ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି ଅଶ୍ୱିନୀ । ପ୍ରଥମ ଇନିଂସରେ ଅଶ୍ୱିନୀ ୩୮ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୨ ରନର ଉପଯୋଗୀ ଇନିଂସରେ ଖେଳିଥିଲେ । ତେବେ ସବୁଠୁ ବଡ କଥା ହେଲା ଖୁବ କମ ମ୍ୟାଚ୍ ଖେଳି ଅଶ୍ୱିନୀ ଏହି ରେକର୍ଡ ହାସଲ କରିଛନ୍ତି । ମାତ୍ର ୮୦ଟି ଟେଷ୍ଟରୁ ଅଶ୍ୱିନୀ ୪୧୮ଟି ୱିକେଟ ହାସଲ କରିଛନ୍ତି ।