ୱେବ୍ ସିରିଜ୍ ଆଶ୍ରମ-୩ର ସୁଟିଂ ସମୟରେ ହଙ୍ଗାମା : ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଉପରେ ଆକ୍ରମଣ; ଗାଡି ଭାଙ୍ଗିଲେ ବଜରଙ୍ଗ ଦଳର କର୍ମୀ

ହିନ୍ଦୁ ଧର୍ମକୁ କଦର୍ଥ କରି ପରିବେଷଣ କରାଯାଉଥିବା ଅଭିଯୋଗ; ଭୋପାଳରେ ଚାଲିଥିଲା ସୁଟିଂ

126

କନକ ବ୍ୟୁରୋ : ୱେବ୍ ସିରିଜ୍ ଆଶ୍ରମ -୩ର ସୁଟିଂ ସମୟରେ ହଙ୍ଗାମା । ମଧ୍ୟପ୍ରଦେଶ ଭୋପାଳରେ ‘ଆଶ୍ରମ ୩’ ହିନ୍ଦୀ ୱେବ ସିରିଜର ସୁଟିଂ ଚାଲିଥିଲା ବେଳେ ହଙ୍ଗାମା କରିଛନ୍ତି ବଜରଙ୍ଗ ଦଳ କର୍ମୀ । ଏହି ସମୟରେ ବଜରଙ୍ଗ ଦଳର କର୍ମୀ ପ୍ରକାଶ ଝାଙ୍କ ଉପରେ କାଳି ମାଡ କରିଛନ୍ତି । ଏଥିସହ ସୁଟିଂ ସ୍ଥଳରେ ଭଙ୍ଗାରୁଜା କରିଛନ୍ତି , ସୁଟିଂ ପାଇଁ ଆସିଥିବା ଗାଡିଗୁଡିକୁ ଭାଙ୍ଗି ଦେଇଛନ୍ତି । ଆକ୍ରମଣର ଖବର ମିଳିବା ପରେ ପୁଲିସ ଆସି ଘଟଣାସ୍ଥଳରେ ପହଁଚିଥିଲା । ଆଉ ବଜରଙ୍ଗ ଦଳର କର୍ମୀଙ୍କୁ ଘଉଡାଇ ଦେଇଥିବା ଜଣାପଡିଛି । ୱେବ ସିରିଜର ନାଁକୁ ନେଇ ବଜରଙ୍ଗ ଦଳ ଆପତି ଉଠାଇଛି ।

ଫିଲ୍ମ ନିର୍ମାତା ୱେବ ସିରିଜର ନାଁ ପରିବର୍ତ୍ତନ କରିବା ଦରକାର ବୋଲି ବଜରଙ୍ଗ ଦଳ ଦାବି କରିଛି । ଆଶ୍ରମ ନାମରେ ୱେବସିରିଜ କରି ହିନ୍ଦୁ ଧର୍ମକୁ କଦର୍ଥ କରି ପରିବେଷଣ କରାଯାଉଛି ବୋଲି ବଜରଙ୍ଗ ଦଳର ସ୍ଥାନୀୟ ସଂଯୋଜକ କହିଛନ୍ତି । ଯଦି ୱେବ ସିରିଜର ନାମ ପରିବର୍ତନ ନହେବ ତାହେଲେ ରିଲିଜ ହେବାକୁ ଦିଆଯିବନି ବୋଲି ବଜରଙ୍ଗ ଦଳ ଚେତାବନୀ ଦେଇଛି । ବିଗତ ତିନି ଦିନ ହେବ ଭୋପାଳରେ ‘ଆଶ୍ରମ ୩’ର ସୁଟିଂ ଚାଲିଛି । ଆଜି ବଜରଙ୍ଗ ଦଳର କର୍ମୀ ଆକ୍ରମଣ କରିବା ବେଳେ ଘଟଣା ସ୍ଥଳରେ ବଲିଉଡ ଅଭିନେତା ବବି ଦେଓଲ ମଧ୍ୟ ଉପସ୍ଥିତ ଥିଲେ ।