ୟୁଏଇରୁ ଆଫଗାନବାସୀଙ୍କୁ ରାଷ୍ଟ୍ରପତି ଅସରଫ ଘନିଙ୍କ ସମ୍ବୋଧନ : କହିଲେ ରକ୍ତାକ୍ତ ସଂଘର୍ଷ ଏଡ଼ାଇବାକୁ ଛାଡ଼ିଲେ ଦେଶ; ଟଙ୍କା ନେଇ ଅଫଗାନିସ୍ତାନ ଛାଡ଼ିଥିବା କଥା ମିଛ

295

କନକ ବ୍ୟୁରୋ : ୟୁଏଇରୁ ଆଫଗାନବାସୀଙ୍କୁ ରାଷ୍ଟ୍ରପତି ଅସରଫ ଘନିଙ୍କ ସମ୍ବୋଧନ । ସେ କହିଛନ୍ତି , ସୁରକ୍ଷା କାରଣରୁ ଆଫଗାନିସ୍ତାନରୁ ଦୂରରେ ରହିବାକୁ ପଡିଲା । ଦେଶର ସୁରକ୍ଷାକର୍ମୀ ଓ ସେନାବାହିନୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ମୋ ଇଚ୍ଛା ବିରୋଧରେ ଦେଶରୁ ମୋତେ ବାହାରକୁ ପଠାଗଲା । ଯେଉଁମାନେ କହୁଛନ୍ତି ପଳାୟନ କଲି, ସେମାନେ ସତକଥା ଜାଣିବା ଜରୁରୀ ।

ତାଲିବାନ ସହ ହୋଇଥିବା ଆଲୋଚନା ଫଳପ୍ରଦ ନଥିଲା । ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନକୁ କ୍ଷମତା ହସ୍ତାନ୍ତର ଚାହୁଁଥିଲି । କିଛି ଅଘଟଣ ଏଡାଇବାକୁ ଦେଶ ଛାଡିବାକୁ ପଡିଲା । ସୁରକ୍ଷା ଅଧିକାରୀଙ୍କ କହିବା ପରେ ଦେଶ ଛାଡିଲି । କାବୁଲରେ ରହିଥିଲେ ରକ୍ତାକ୍ତ ମୁହୂର୍ତ୍ତ ଦେଖିବାକୁ ପଡିଥାନ୍ତା । କାବୁଲର ଜନସାଧାରଣଙ୍କୁ ଅଘଟଣରୁ ବଞ୍ଚାଇବାକୁ ଏଭଳି ପଦକ୍ଷେପ ନେବାକୁ ପଡିଲା । ଟଙ୍କା ନେଇ ଦେଶରୁ ଫେରାର୍ ହୋଇଯାଇ ଥିବା କହିବା ଅଯଥାର୍ଥ ।

ସୂଚନାନୁସାରେ, ଆଫଗାନିସ୍ତାନରେ ସଂକଟମୟ ପରିସ୍ଥିତି ବେଳେ ୟୁଏଇରେ ଶରଣ ନେଇଛନ୍ତି ପୂର୍ବତନ ଆଫଗାନ ରାଷ୍ଟ୍ରପତି ଅସରଫ ଘନି । ତାଙ୍କର ପୁରା ପରିବାର ୟୁଏଇର ଆବୁଧାବିରେ ଶରଣ ନେଇଥିବା ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ୟୁଏଇ ସରକାର କହିଛନ୍ତି, ମାନବିକତା ଦୃଷ୍ଟିରୁ ଘନି ଓ ତାଙ୍କ ପରିବାରକୁ ଶରଣ ଦିଆଯାଇଛି । ତାଲିବାନର କାବୁଲ ଦଖଲ ପରେ ଦେଶ ଛାଡ଼ିଥିଲେ ଅସରଫ ଘନି ।