ବିଜେପୁର ପାଇଁ ଅଶୋକ ପାଣିଗ୍ରାହୀ ବିଜେପିର ପ୍ରାର୍ଥୀ । ୨ ତାରିଖରେ ନାମାଙ୍କନ ଭରିବା ସମ୍ଭାବନା । ବିଜେଡିକୁ ଦେଇପାରିବେ କି ମାତ୍?
ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବତନ ବିଧାୟକ ତଥା ନିକଟରେ ବିଜେପିରେ ସାମିଲ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି । ଦଳର ନିର୍ବାଚନ କମିଟି ସଂପାଦକ ଜେ.ପି. ନଡ୍ଡା, ଅଶୋଙ୍କ ନାଁକୁ ଘୋଷଣା କରିଛନ୍ତି । ଆସନ୍ତା ୨ ତାରିଖରେ ଅଶୋକ ପାଣିଗ୍ରାହୀ ନାମାଙ୍କନ ଭରିବା ନେଇ ସୂଚନା ମିଳିଛି । ତେବେ ଏନେଇ ଔପଚାରିକ ଘୋଷଣା ହୋଇନାହିଁ । ଫେବୃୟାରୀ ୫ରେ ବିଜେଡି ପ୍ରାର୍ଥୀ ରୀତା ସାହୁ ମନୋନୟନ ପତ୍ର ଦାଖଲ କରିବାକୁ ଥିବା ବେଳେ ଏହା ପୂର୍ବରୁ ଅଶୋକ ପାଣିଗ୍ରାହୀ ଦମ୍ ଦେଖାଇବାକୁ ଅଂଟା ଭିଡିଛନ୍ତି । ନାମାଙ୍କନ ଦାଖଲ ମାଧ୍ୟମରେ ସେ ଏକପ୍ରକାରର ନିଜ ଶକ୍ତି ପ୍ରଦର୍ଶନ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଶୋକ ପାଣିଗ୍ରାହୀ । ରାଜ୍ୟରେ ବିଜେଡି-ବିଜେପି ମେଂଟ ନିର୍ବାଚନ ଲଢୁଥିବା ବେଳେ ବିଜେଡି ଭାଗରେ ପଡିଥିଲା ବିଜେପୁର ଆସନ । ଅଶୋକ ପାଣିଗ୍ରାହୀ ପାଇଥିଲେ ୫୭ ହଜାର ୨୯୮ ଭୋଟ । ଯାହା ଥିଲା ମୋଟ ଭୋଟର ୫୩.୯୯ ପ୍ରତିଶତ । ୨ ହଜାର ମସିହାରେ ବିଜେପୁର ମୈଦାନରେ ଥିଲେ ୫ ଜଣ ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ୪୪ ହଜାର ୨୦୨ ଭୋଟ ପାଇଥିବା ବେଳେ ୧୩ ହଜାର ୯୬ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ଯାହା ଥିଲା ମୋଟ ଭୋଟର ୧୨.୩୪ ପ୍ରତିଶତ ।
୨୦୦୪ରେ ଅଶୋକ ପାଣିଗ୍ରାହୀ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ନିକଟରୁ ପରାସ୍ତ ହୋଇଥିବା ବେଳେ ୨୦୧୪ରେ ସ୍ୱାଧୀନ ଭାବେ ଲଢି ୧୮ ହଜାର ଭୋଟ ପାଇଥିଲେ ଅଶୋକ ପାଣିଗ୍ରାହୀ । ନିଜର ଏକ ସଂଗଠନ ରଖିଥିବା ଅଶୋକଙ୍କୁ ନେଇ ବିଜେପି ବଡ ରାଜନୈତିକ ଗୋଟିଚାଳନା କରିଛି । ପଂଚାୟତ ନିର୍ବାଚନରେ ଦଳ ବିଜେପୁର ନିର୍ବାଚନ ମଣ୍ଡଳୀରେ ପାଇଥିବା ଭୋଟ୍ ଓ ଅଶୋକଙ୍କ ସଂଗଠନକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାର ଲକ୍ଷ ରଖିଛି । ତେବେ ବିଜେଡି ଅଶୋକଙ୍କ ସାମ୍ନାରେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ଠିଆ କରି ଅନୁକମ୍ପାର ରାଜନୈତିକ କାର୍ଡ ଖେଳିଛି ।
ରାଜନୀତିରେ ଅନଭିଜ୍ଞ ଥିବା ରୀତା ସାହୁଙ୍କ ସପକ୍ଷରେ ଅନୁକମ୍ପା ଯିବାର ଧାରଣା ହିଁ ତାଙ୍କୁ ଆଜି ଶକ୍ତିଶାଳୀ କରିଛି । ଠିକ ଯେମିତି ୧୯୯୧ରେ ହୋଇଥିଲା । ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ଆକସ୍ମିକ ବିୟୋଗରେ ବିଜେପୁର ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ନିର୍ବାଚନରେ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ, ଯାହା ସେ ନିର୍ବାଚନରେ ‘ଅନୁକମ୍ପା’ର ଏକ ନିର୍ଣ୍ଣାୟକ ଭୂମିକା ଥିବାର ପ୍ରମାଣ ଦିଏ। ଜନତା ଦଳ ପ୍ରାର୍ଥୀ କିଶୋରୀ ମଣି ସିଂହ, ଜନତା ଦଳ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋହନ ନାଗଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ରାଜନୀତିର ଧାର ଧରିନଥିବା ରୀତା ସାହୁଙ୍କୁ ନବୀନ ଆଗକୁ ଆଣି ବିଜେପୁରରେ ବିଜେଡିର ପଲ୍ଲାକୁ ମଜଭୁତ କରିଛନ୍ତି ।
ତେବେ ଅନେକ କିଛି ନିର୍ଭର କରିବ କଂଗ୍ରେସ କାହାକୁ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାରି ଭିତରେ ଏକ କମିଟି ଗଠନ କରି ପ୍ରାର୍ଥୀ ବାଛିବା କାମକୁ ଆଗକୁ ବଢାଇଥିବା ବେଳେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ଦୁଇ ଜଣଙ୍କ ଭିତରେ ରହିଛି । ପୂର୍ବତନ ବିଧାୟକ ରୀପୁନାଥ ସେଠ ଓ କଂଗ୍ରେସ ନେତା ପ୍ରଣୟ ସାହୁଙ୍କ ମଧ୍ୟରୁ ଦଳ ଜଣଙ୍କୁ ଟିକେଟ ଦେଇପାରେ ବୋଲି ଅନୁମାନ କରାଯାଉଛି । ଦିନେ ଦୁଇଦିନ ଭିତରେ ପ୍ରାର୍ଥୀଙ୍କ ନାଁ ଚୁଡାନ୍ତ କରିପାରେ ଦଳ । ଏକ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ବିଜେପୁର ରାଜନୀତି ତଥା ରାଜ୍ୟ ରାଜନୀତିକୁ ସରଗରମ କରିବାର ଯଥେଷ୍ଟ ସମ୍ଭାବନା ରହୁଛି ।