ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ : ସଂସଦରେ ନିଜ ଅଞ୍ଚଳ ସମସ୍ୟା କାହିଁକି ଉଠାଇଲେନି ସାଂସଦ ?

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅପରାଜିତା ଭେଟିବାକୁ ନଯିବା ଦୁର୍ଭାଗ୍ୟଜନକ

122

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ପୁଣି ଭୁବନେଶ୍ୱର ସାଂସଦଙ୍କୁ ଘେରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ବାଇ-ଲ ପ୍ରସଙ୍ଗରେ ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । କହିଛନ୍ତି, ସଂସଦରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି, ସେଠାରେ ସବୁ ସାଂସଦ ନିଜ ଅଂଚଳର ସମସ୍ୟା ଉଠାଇଥାନ୍ତି, ଭୁବନେଶ୍ୱର ସାଂସଦ ଚାହିଁଥିଲେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରସଙ୍ଗ ଉଠାଇ ପାରିଥାନ୍ତେ ।

କେବଳ ଏତିକି ନୁହେଁ ବିଜୁ ଜନତା ଦଳ ଓ ବିଜେପି ଦଳର ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ, କିନ୍ତୁ ସେଠାରେ ସାଂସଦଙ୍କୁ ଦେଖିବାକୁ ପାଇନଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଂସଦମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ, କିନ୍ତୁ ନିର୍ଦ୍ଦେଶ ସତ୍ତ୍ବେ ସେଠାକୁ ଆସିନଥିଲେ ଅପରାଜିତା ଷଡଙ୍ଗୀ । ଯାହା ଦୁର୍ଭାଗ୍ୟଜନକ ବୋଲି ଅଶୋକ ପଣ୍ଡା କହିଛନ୍ତି ।

ସେପଟେ ଉତ୍ତର ଦେବା ବଦଳରେ ଉତ୍ତର ମାଗିଲେ ସାଂସଦ । ଅଶୋକ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ପାଲଟା ଉତ୍ତର ମାଗିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଗତ ୧୫ ତାରିଖ ଦିନ ରାଜ୍ୟ ସରକାରଙ୍କୁ ସେ ୫ଟି ପ୍ରଶ୍ନ ପଚାରିଥିଲେ । ପ୍ରଥମେ ସରକାର ତାଙ୍କ ସେହିସବୁ ପ୍ରଶ୍ନର ଉତ୍ତର ରଖନ୍ତୁ ପରେ ସେ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।