ମାଇକ ଦେବାକୁ ମନା କଲେ କେନ୍ଦ୍ରମନ୍ତ୍ରୀ, ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରଖିଲେନି । ଅଶୋକଙ୍କ ପ୍ରଶ୍ନ, କୁଆଡେ ଗଲା ଧର୍ମେନ୍ଦ୍ରଙ୍କ ବିଶାଳ ହୃଦୟ?

960

କନକ ବ୍ୟୁରୋ : ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଚଳାଚଳ ଓ ଏହାର ବିଜ୍ଞାପନରେ ଫଟୋକୁ ନେଇ ତେଜିଛି ରାଜନୀତି । ଗତକାଲି ଏହି ପ୍ରସଙ୍ଗରେ ବିଜେଡିକୁ ବିଜେପି ଘେରିଥିବା ବେଳେ ଆଜି ବାହାରିଥିବା ଖବରକାଗଜ ବିଜ୍ଞାପନକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଶାଳ ହୃଦୟର କଥା କହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାନତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଯଦି ବିଶାଳ ହୃଦୟ ଥିଲା ତେବେ ଆଜି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ଦେଲେନି ବୋଲି ପ୍ରଶ୍ନ କରିଛନ୍ତି ଅଶୋକ । ବିଜ୍ଞାପନରେ ଲିଙ୍ଗରାଜ ମନ୍ଦିରର ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଫଟୋ ଦେଇପାରିଥାନ୍ତେ ବୋଲି କହିଛନ୍ତି ଅଶୋକ ।

ସେହିଭଳି ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡାଣ ଉଦଘାଟନୀ ସମାରୋହ ଘଟଣାକୁ ନେଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ବିମାନବନ୍ଦର ପରିସରରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ଓ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲୁ କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ହୀନ ମାନ୍ୟତା କଥା କହିଲେ । ଏହାକୁ ବରଦାସ୍ତ କରାଯାଇ ନପାରେ କହି ସ୍ୱର ଶାଣିତ କରିଥିଲେ । ଘର କଥା କହି ଓଡ଼ିଆରେ କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ପରବର୍ତୀ ମୁହୂର୍ତ୍ତରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୀନ ମାନ୍ୟତା କଥା କହିଥିଲେ । କିନ୍ତୁ ଏପ୍ରସଙ୍ଗରେ କହିବାକୁ ଯେତେବେଳେ ମୁଁ ଚାହିଁଲି ସେତେବେଳେ ମୋତେ ମାଇକ ଦେବାକୁ ମନା କରିଥିଲେ ଧର୍ମେନ୍ଦ୍ର ବୋଲି ଅଭିଯୋଗ କରିଛନ୍ତି ଅଶୋକ ପଣ୍ଡା ।

କିଛି ସମୟ ପୂର୍ବରୁ ଘର କଥା କହି ଓଡ଼ିଆରେ ନିଜ ଭାଷଣ କହୁଥିବା ବେଳେ ସିନ୍ଧିଆ କିପରି ଘର କଥା ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ଆଶୋକ ପଣ୍ଡା । ଏହା ସମ୍ପୂର୍ଣ ସୁପରିକଳ୍ପିତ ଓ ସୁଚିନ୍ତିତ ଷଡ଼ଯନ୍ତ୍ର । ପୂର୍ବରୁ ଶିଖାଶିଖି ହୋଇ ଆଗରୁ କଥା ବାର୍ତ୍ତା ହୋଇ ଏପରି କରିଛନ୍ତି ବୋଲି କହିଛନ୍ତି ଅଶୋକ ।

ଏହାପୂର୍ବରୁ ଦୁଇ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସମୟରେ ମୁଖ୍ୟମନ୍ତ୍ରୀ ଜମି ଦେବା ସହ ସ୍ଥାନୀୟ ବିଧାୟକ ଭାବେ ବହୁତ୍ ପରିଶ୍ରମ କରିଛି କିନ୍ତୁ ସ୍ଥାନୀୟ ବିଧାୟକ ଭାବେ ମୋତେ ନିମନ୍ତ୍ରଣ କଲେନି । ଏହି କେନ୍ଦ୍ରମନ୍ତ୍ରୀ ନିମନ୍ତ୍ରଣ କଲେନି । କୁଆଡେ ଗଲା କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ହୃଦୟ । ସେହିଭଳି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ ନେଇ ଯେତେବେଳେ ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ କରାଯାଇଥିଲା ସେତେବେଳେ ରାଜ୍ୟର ସଂସ୍କୃତି ମନ୍ତ୍ରୀ ହିସାବରେ ମୋତେ ନିମନ୍ତ୍ରଣ ମଧ୍ୟ ଦିଆଗଲାନି । ସେତେବେଳେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା କହିଥିଲେ ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ କାମ, ସେତେବେଳେ କୁଆଡେ ଗଲା ଧର୍ମେନ୍ଦ୍ରଙ୍କ ବିଶାଳ ହୃଦୟ ବୋଲି କହିଛନ୍ତି ଅଶୋକ ।