କନକ ବ୍ୟୁରୋ : ବିବାଦରେ ଏକାମ୍ର ପରିକ୍ରମା ପ୍ରକଳ୍ପ । କାର୍ଯ୍ୟକାରୀ କରିବାକୁ ଯେଉଁ ଅଧ୍ୟାଦେଶ ବଳରେ ନୂଆ ଆଇନ ଲାଗୁ ପାଇଁ ଉଦ୍ୟମ କରାଯାଇଥିଲା, ତା’ଉପରେ ଉଠିଛି ଆପତି । ଶ୍ରୀମନ୍ଦିର ଢାଂଚାରେ ଆଇନ୍ ଆଣି ମନ୍ଦିର ପରିଚାଳନା ପାଇଁ ଯେଉଁ ଉଦ୍ୟମ କରାଯାଇଥିଲା, ସେଥିରେ କମିଟିକୁ କିଛି ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା । ଯାହା ଅମସାର ଆଇନର ଖିଲାପ ବୋଲି ସ୍ପଷ୍ଟ କରାଯାଇଛି । ପ୍ରଶ୍ନ ଉଠୁଛି, କାହିଁକି ଏଏସଆଇର କ୍ଷମତା ବାହାରକୁ ଯାଇ କମିଟିକୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିବାକୁ ଉଦ୍ୟମ କରାଯାଇଥିଲା । ସେହିଭଳି ମନ୍ଦିର ଭିତରେ ଏବଂ ବାହାରେ ଏମିତି ଅନେକ ଦିଗ ଏହି ଅଧ୍ୟାଦେଶ ବଳରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ହୋଇଥିଲା, ଯାହା କେନ୍ଦ୍ରୀୟ ଆଇନର ପରିପନ୍ଥୀ । ଏବେ ଆଗକୁ ଏକାମ୍ର ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି, ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମଧ୍ୟ ସନ୍ଦେହର ବଳୟ ସୃଷ୍ଟି ହୋଇଛି ।
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶର ଯେଉଁ ସବୁ କ୍ଲଜ୍ ଉପରେ ଆପତି ଉଠିଛି, ସେଥିରେ ଧାରା ୨୨ (୨-ଡି)ରେ ଥିବା ଦିଗଟି ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିରେ କୁହାଯାଇଛି,
- ମନ୍ଦିର କମିଟିକୁ ଧାରା ଅଧୀନରେ ମରାମତି ସଂକ୍ରାନ୍ତୀୟ କ୍ଷମତା ପ୍ରଦାନ କରାଯାଇଛି
- ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଏଏସଆଇ କ୍ଷମତା ଅନ୍ତର୍ଭୁକ୍ତ
- ଆମସାର ଆକ୍ଟ ୧୯୫୮ର ଏହା ବିରୋଧାଚରଣ କରୁଛି
ସେହିଭଳି ଅଧ୍ୟାଦେଶର କ୍ଲଜ ୨୫ରେ ପ୍ରଶାସନକୁ କିଛି ଅସାଧରଣ କ୍ଷମତା ପ୍ରଦାନ କରାଯାଇଛି, ଯାହା ଆମସାର ଆଇନକୁ ଖିଲାପ କରୁଛି ।କେବଳ ଏହି ଦୁଇ ଧାରା ନୁହଁ, ବରଂ ଏହିଭଳି ଏକାଧିକ ଦିଗ ଉପରେ ନିଜର ଭିନ୍ନ ଆଭିମୁଖ୍ୟ ପୋଷଣ କରି କେନ୍ଦ୍ର ସ୍ପଷ୍ଟୀକରଣ ଚାହିିଁବା ପରେ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ଯାହା ଏହି ଅଧ୍ୟାଦେଶର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି ।

Advertisment

ଅଧ୍ୟାଦେଶର ଆଉ କିଛି ଦିଗ ଯାହା ଉପରେ ଆପତି ଉଠିଛି, ତାହା ଉପରେ ନଜର ପକାନ୍ତୁ...
ଧାରା ୧୫(୨ଆଇ): ମନ୍ଦିର ଭିତରେ ଓ ବାହାରେ ଦୋକାନ ଗୃହ ନିର୍ମାଣ କରାଯିବ
ଧାରା ୧୭(୩): ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜରେ ଦିଆଯାଇପାରିବ
ଧାରା ୨୨(୩): ସ୍ୱତନ୍ତ୍ର ଦର୍ଶନ ପାଇଁ ଦେୟ ଦେବାକୁ ପଡିବ
ଧାରା ୩୩(୧ବି): କୋଠାବାଡିର ନିର୍ମାଣ, ପୁନଃନିର୍ମାଣ ଓ ମରାମତି କରାଯାଇପାରିବ
ଧାରା ୩୩(୧ସି): ନୂତନ କୋଠାବାଡି ନିର୍ମାଣ ହୋଇପାରିବ
ଧାରା ୩୩(୧ଇ): ବିଭିନ୍ନ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇପାରିବ

ଆପତ୍ତି ଉଠାଇ ଯେଉଁ ସବୁ ଦିଗ ଉପରେ କେନ୍ଦ୍ର ସ୍ପଷ୍ଟୀକରଣ ଚାହିଁଛି, ସେଥିରେ ବାରମ୍ବାର ଆମସାର ଆଇନର ଦ୍ୱାହି ଦିଆଯାଇଛି ଏବଂ ୧୦୦ ମିଟର ପରିଧି ଭିତରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଯାଇଛି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ଏକାମ୍ର ପରିକ୍ରମା ପ୍ରକଳ୍ପର ଭବିଷ୍ୟତ କଣ ହେବ? ଯାହାକୁ ନେଇ ରାଜନୈତିକ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କାଶୀ, କେଦାରନାଥ, ସୋମନାଥ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତି ପାଇଁ ଯଦି ଅନୁମତି ମିଳୁଛି, ତେବେ ଓଡିଶା କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ହେଉଛି, ସେହି ଦିଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଯଦିଓ ମନ୍ତ୍ରୀ ବୟାନ ଦେଉଛନ୍ତି, ହେଲେ ଏକାମ୍ର ପରିକ୍ରମା ପ୍ରକଳ୍ପ ପାଇଁ ଅନୁମତି ଅଛି କି ନାହିଁ, ସେନେଇ ସ୍ପଷ୍ଟ କରୁନାହାନ୍ତି ।

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କେନ୍ଦ୍ରୀୟ ଆଇନର ବିରୋଧାଚରଣ କରୁଥିବା କହି ଆପତି ଉଠାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏବେ ପ୍ରଶ୍ନ ଉଠୁଛି
- ଏକାମ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିବ ନା ନାହିଁ?
- ବିନା ଅନୁମତିରେ କାର୍ଯ୍ୟ କିଭଳି ଚାଲୁଥିଲା?
- ଅଧ୍ୟାଦେଶ ଉପରେ ଯଦି ରୋକ୍ ଲାଗେ, ଆଗକୁ କଣ ହେବ?
- ମନ୍ଦିର ଚାରିପାଖେ ଭଙ୍ଗା ସରିଛି, ନିୟମର ଖିଲାପ କଣ ଏଏସଆଇ ଜାଣୁପାରୁନଥିଲା?
ଏକାମ୍ର ପରିକ୍ରମା ପ୍ରକଳ୍ପର ଭବିଷ୍ୟତକୁ ନେଇ ସନ୍ଦେହ ବଢୁଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ କେନ୍ଦ୍ର କଣ ଆଭିମୁଖ୍ୟ ଦେଖାଇବ, ତାହା ମହତ୍ୱପୂର୍ଣ୍ଣ କାରଣ ପୁରୀରେ ବି ନିୟମ ଖିଲାପୀ ହେଉଥିବା ନେଇ ଲଗାତାର ଭାବେ ଅଭିଯୋଗ ଆସିଚାଲିଛି ।