କନକ ବ୍ୟୁରୋ : ସରକାରୀ ଚାକିରି ମାନେ ତ ବଦଳି ନିଶ୍ଚିତ । ଏହାକୁ କେହି ଅଟକାଇ ପାରିବେନି । କିନ୍ତୁ ଏମିତି କିଛି ଅଫିସର ଅଛନ୍ତି ଯେଉଁମାନଙ୍କର ବଦଳି ସେମାନଙ୍କୁ ଚର୍ଚ୍ଚିତ କରିଛି । ଆଉ ସେହିଭଳି ଜଣେ ଚର୍ଚ୍ଚିତ ଆଇଏଏସ ଅଫିସର ହେଉଛନ୍ତି ଅଶୋକ ଖେମକା । ୩୦ ବର୍ଷର ଚାକିରି ଭିତରେ ୫୫ ଥର ବଦଳିର ସାମ୍ନା କରି ସାରିଲେଣି ଅଶୋକ । ଅଥାର୍ତ ପ୍ରାୟ ପ୍ରତି ୬ ମାସରେ ଅଶୋକଙ୍କର ଥରେ ବଦଳି ହୋଇଥାଏ । କିନ୍ତୁ ଏତେଥର ଅଶୋକଙ୍କର ବଦଳି ପଛର କାରଣ କଣ? କାହିଁକି ବାରମ୍ବାର ଆଇଏଏସ ଅଫିସର ଅଶୋକ ବଦଳିର ସାମ୍ନା କରୁଛନ୍ତି । ଆଉ ଏହା ପଛର କାରଣ ହେଉଛି ଅଶୋକଙ୍କ ସଚ୍ଚୋଟତା, ନିର୍ଭୀକତା ଓ ଦକ୍ଷ କାର୍ଯ୍ୟଶୈଳୀ । ଯାହା ଅନେକ ଲାଞ୍ଚୁଆ ବାବୁ ଓ ନେତାଙ୍କ ପାଇଁ ଅସହ୍ୟ ହେଉଛି । ଏସବୁ ଭିତରେ ଅଶୋକଙ୍କୁ ପୁଣିଥରେ ବଦଳିର ସାମ୍ନା କରିବାକୁ ପଡିଛି । ଏହି ୩୦ ବର୍ଷ ଭିତରେ ଅଶୋକଙ୍କର ଅନେକ ବିଭାଗ ବଦଳିଛି ସିନା କିନ୍ତୁ ତାଙ୍କ କାର୍ଯ୍ୟଶୈଳୀରେ ଟିକିଏ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।

Advertisment

୧୯୯୧ ବ୍ୟାଚର ଆଇଏଏସ ଅଫିସର ଅଶୋକ ଖେମକା ଆଇଆଇଟି ଖଡଗପୁରରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଟପ୍ପର ରହି ସାରିଛନ୍ତି । ପଶ୍ଚିମବଙ୍ଗରେ ଜନ୍ମିତ ଅଶୋକ ନିଜର ସଚ୍ଚୋଟତା ପାଇଁ ଚର୍ଚ୍ଚାରେ ରହି ଆସିଥାନ୍ତି । ପୂର୍ବରୁ ଅନେକ ଥର ଟ୍ୱିଟ୍ କରି ଉଭୟ ଦୁର୍ନୀତିଖୋର ନେତା ଓ ବାବୁଙ୍କୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି । ଯାହା ତାଙ୍କର ନିର୍ଭୀକତାକୁ ଦର୍ଶାଇଥାଏ । ଆଉ ଏହି ନିର୍ଭୀକତାର ପ୍ରମାଣ ସେତେବେଳେ ପୂରା ଦେଶ ଦେଖିଥିଲା ଯେତେବେଳେ ୨୦୧୨ରେ ଯୁପିଏ ସରକାର ଓ ହରିୟାଣାରେ ହୁଡ୍ଡା ସରକାର ଥିଲେ ମଧ୍ୟ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଓ ଡିଏଲଏଫ ମଧ୍ୟରେ ହୋଇଥିବା ଜମି କିଣାବିକା ଚୁକ୍ତିକୁ ରଦ୍ଦ କରିବାକୁ ଆଦେଶ ଦେଇଥିଲେ । ଆଉ ଏହାପରେ ଚର୍ଚ୍ଚାକୁ ଆସିଥିଲେ ଖେମକା । କିନ୍ତୁ ଏଥିପାଇଁ ତାଙ୍କୁ ବଦଳିର ମୂଲ୍ୟ ଦେବାକୁ ପଡିଥିଲା । ଏମିତି ସମୟ ଆସିଥିଲା ଯେ, ଆଇଏଏସ ଅଧିକାରୀ ଭାବେ ତାଙ୍କୁ ମିଳିଥିବା ସରକାରୀ ଗାଡିକୁ ମଧ୍ୟ ହଟାଇ ନିଆଯାଇଥିଲା । ଏହାପରେ ମଧ୍ୟ ନିଜର ସଚ୍ଚୋଟତାକୁ ବଳି ପକାଇ ଦେଇନଥିଲେ ଅଶୋକ । ଅଫିସକୁ ଚାଲି ଚାଲି ଯାଇ ସମସ୍ତଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଅଶୋକ ଖେମକା ।

ବଦଳିକୁ ନେଇ ଅଶୋକ ଯେତିକି ଚର୍ଚ୍ଚିତ ନୁହଁନ୍ତି ତାହା ଠାରୁ ଅଧିକ ଚର୍ଚ୍ଚାରେ ରହିଥାନ୍ତି ନିଜ ଟ୍ୱିଟକୁ ନେଇ । ଅନେକ ସମୟରେ ଦୁର୍ନୀତିଗ୍ରସ୍ତ ବାବୁ ଓ ନେତାଙ୍କୁ ଟ୍ୱିଟରରେ ଟାର୍ଗେଟ କରିଥାନ୍ତି ଅଶୋକ । ଏପରିକି ପୂର୍ବରୁ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଗଞ୍ଜେଇ ସହ ତୁଳନା କରିବାକୁ ମଧ୍ୟ ପଛାଇନାହାନ୍ତି । ଏହି ଦୁର୍ନୀତିଗ୍ରସ୍ତ ବାବୁଙ୍କ ପାଖରେ ଗଞ୍ଜେଇ ଭଳି କ୍ଷମତା ରହିଥାଏ ଓ ଗଞ୍ଜେଇ ଗଛ ଭଳି ବଢିଥାନ୍ତି ଏବଂ ସଚ୍ଛୋଟ ଲୋକଙ୍କ ତଣ୍ଟି ଚିପିଥାନ୍ତି । ଆଉ ଏହି ଟ୍ୱିଟକୁ ଅନେକ ଲୋକ ବେଶ ପସନ୍ଦ କରିଥିଲେ ।

କେବଳ ଅଶୋକ ଖେମକା ନୁହଁନ୍ତି ଆଇଏଏସ ଅଫିସର ଭାବେ ପ୍ରଦୀପ କସାନୀଙ୍କର ସବୁଠୁ ଅଧିକ ବଦଳି ହୋଇଛି । ୩୫ ବର୍ଷର କାର୍ଯ୍ୟକାଳ ଭିତରେ ପ୍ରଦୀପଙ୍କୁ ୭୧ ଥର ବଦଳିର ସାମ୍ନା କରିବାକୁ ପଡିଛି । ଏହାସତ୍ତେ୍ୱ ମଧ୍ୟ ପ୍ରଦୀପଙ୍କ ଭଳି ଅଶୋକ ବି ଦମ୍ଭର ସହ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି ଓ ମିଳିଥିବା ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।