ବିଜେପିରେ ଯୋଗ ଦେଲେ ଅଞ୍ଜଳି ବେହେରା : ଆସିଲେନି ଭାଇ ଅଶୋକ ନାୟକ

କହିଲେ ମିଶ୍ରଣ ନେଇ ପାର୍ଟି ଅଫିସରୁ ଜାଣିଲେ, ହେଲେ ଜଣାଇ ନଥିଲେ ଭଉଣୀ; ଆଗାମୀ ନିର୍ବାଚନରେ ଅଶୋକଙ୍କ ଗାଦି ଛଡ଼ାଇବେକି ଅଞ୍ଜଳି?

349

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରାଙ୍କ ବିଜେପିରେ ଯୋଗଦାନ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାନ ଭାଇ ଅଶୋକ ନାୟକ । ମିଶ୍ରଣ ପର୍ବରେ ଅଶୋକଙ୍କ ଅନୁପସ୍ଥିତ ରହିବା ଏବଂ ତାଙ୍କୁ ଭଉଣୀ ଡାକିନଥିବା ସେ କହିବା ପରେ ପରିବାର ଭିତରେ ସବୁକିଛି ଠିକ୍ ଚାଲିନଥିବା କୁହାଯାଉଛି । ରାଜନୀତି ପୃଷ୍ଠଭୂମି ଦୃଷ୍ଟିରୁ ଅଞ୍ଜଳି ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ବେଶ ପୁରୁଖା । ବାପା ତ୍ରିିନାଥ ନାୟକ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକାଧିକ ଥର ବିଧାୟକ ଭାବେ ଜିତି ବିଜୁ ପଟ୍ଟନାୟକଙ୍କ ଅମଳରେ ମନ୍ତ୍ରୀପଦ ହାସଲ କରିଥିଲେ । ତ୍ରିନାଥଙ୍କ ଅନ୍ତେ ତାଙ୍କ ପତ୍ନୀ ଏବଂ ପରେ ଝିଅ ଅଞ୍ଜଳି ବିଜେଡିର ମଙ୍ଗ ଧରିଥିଲେ ।

୨୦୦୦ରୁ ୨୦୧୪ ଯାଏ କ୍ରମାଗତ ଭାବେ ୩ଥର ବିଜେଡିରୁ ବିଜୟୀ ହୋଇ ବିଧାୟିକା ହେବା ସହ ଦୁଇ ଥର ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। କ୍ୟାବିନେଟ୍ ପାହ୍ୟା ମଧ୍ୟ ପାଇଥିଲେ । ୨୦୧୨ମସିହା ମିଡ୍‌ନାଇଟ୍‌ ଅପରେସନ୍‌ ପାଇଁ ଅଞ୍ଜଳିଙ୍କ ରାଜନୈତିକ କ୍ୟାରିୟର ଏକପ୍ରକାର ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା । ୨୦୧୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ୍ ନ ମିଳିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଏହାପରେ ଅଞ୍ଜଳିଙ୍କ ପାଇଁ ବିଜେଡି ବାଟ ଏକପ୍ରକାର ବନ୍ଦ ହୋଇ ଯାଇଥିଲା ।

ଅପରପକ୍ଷରେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଅଞ୍ଜଳିଙ୍କ ସାନ ଭାଇ ଅଶୋକଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରିଥିଲା । ଏହି ନିର୍ବାଚନରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ପାଇଁ ଅଶୋକଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି । ଯଦିଓ ଭାଇ ଅଶୋକଙ୍କ ପାଇଁ ଅଞ୍ଜଳି ସେତେବେଳେ ନିର୍ବାଚନ ପ୍ରଚାର କରୁଥିଲେ, କିନ୍ତୁ ବିଜେପିରେ ବିଧିବଦ୍ଧ ସାମିଲ ହୋଇ ନ ଥିଲେ । ଏପଟେ ବିଜେପିରେ ସାମିଲ୍ ହେବା ପାଇଁ ଅଞ୍ଜଳି ନିଜ ସମର୍ଥକଙ୍କୁ ନେଇ ରାଜଧାନୀକୁ ଗଲାବେଳକୁ ହିନ୍ଦୋଳ ନେତୃତ୍ବ ଦାୟିତ୍ବରେ ଥିବା ସାନଭାଇ ଅଶୋକ ସମାବେଶରେ ଯୋଗ ନ ଦେବା, ଅଞ୍ଜଳି ତାଙ୍କୁ ନ ଜଣାଇବା ଘଟଣା ଭାଇ-ଭଉଣୀ ମଧ୍ୟରେ ଥିବା ଅସନ୍ତୋଷକୁ ସୂଚାଇ ଦେଉଛି ।

ଏହି ମିଶ୍ରଣ ପର୍ବ ସମ୍ପର୍କରେ ଅଶୋକ କହିଛନ୍ତି, ସେ ଦୁଇ ଦିନ ତଳେ ପାର୍ଟି ଅଫିସରୁ ମିଶ୍ରଣ ପର୍ବ ସମ୍ପର୍କରେ ଜାଣିଥିଲେ । ହେଲେ ତାଙ୍କ ଭଉଣୀ ଏ ସମ୍ପର୍କରେ କିଛି ଜଣାଇନଥିଲେ । ସେ ବାହାରେ ଥିବାରୁ ଏହି ସମାବେଶରେ ଯୋଗ ଦେଇନଥିଲେ । ତାଙ୍କୁ ହଟାଇ ବିଜେପି ଭଉଣୀଙ୍କୁ ଟିକେଟ ଦେବାକୁ ଚାହୁଁଛି କି ବୋଲି ପ୍ରଶ୍ନର ଉତରରେ ଏହା ସମୟ କହିବ ବୋଲି ଅଶୋକ କହିଛନ୍ତି ।