ରାହୁଲ ଗାନ୍ଧୀ ରାଜି ନହେଲେ ଗେହଲଟଙ୍କୁ ମିଳିପାରେ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ । ଦଳୀୟ ମହଲରେ ଗେହଲଟଙ୍କ ନାଁକୁ ନେଇ ଚର୍ଚ୍ଚା ଜୋରଦାର ।

305

କନକ ବ୍ୟୁରୋ : କିଏ ଧରିବ କଂଗ୍ରେସର ମଙ୍ଗ? ରାହୁଲଙ୍କ ହାତକୁ ଆସିବ କି ପୁଣିଥରେ କଂଗ୍ରେସ ଦାୟିତ୍ୱ? ଏଭଳି କିଛି ପ୍ରଶ୍ନ ଭିତରେ ଏବେ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି । ଯାହା କଂଗ୍ରେସ ରାଜନୀତିକୁ ଆହୁରି ଉଷ୍ମ କରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଦି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାକୁ ରାଜି ନ ହୁଅନ୍ତି ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏହି ଦାୟିତ୍ୱ ଦେଇପାରେ ଦଳ । ଦଳୀୟ ଅନ୍ଦର ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏବେ ମଧ୍ୟ କଂଗ୍ରେସ ସଭାପତି ଦାୟିତ୍ୱରେ ବସିବାକୁ କୁଣ୍ଠାବୋଧ କରୁଛନ୍ତି ରାହୁଲ । ଏବେ କଂଗ୍ରେସ ସଙ୍ଗଠନରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆଗାମୀ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ କଂଗ୍ରେସ ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ଏଯାବତ ରାହୁଲଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିନାହିଁ । ତେବେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଅଧୀରଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବା ବାବଦରେ ଚିନ୍ତା କରିବେ ବୋଲି କହିଥିଲେ । କିନ୍ତୁ କୌଣସି ସ୍ପଷ୍ଟ ସଂକେତ ଦେଇନଥିଲେ, ଯାହାକୁ ନେଇ ପୁଣିଥରେ ସସପେନ୍ସ ଆରମ୍ଭ ହୋଇଛି ।

ଏସବୁ ଭିତରେ ଦଳ ଗେହଲଟଙ୍କ ନାଁକୁ ନେଇ ମଧ୍ୟ ମାନସମନ୍ଥନ ଆରମ୍ଭ କରିଛି । ଗତ କିଛିଦିନ ହେବ ଦିଲ୍ଲୀରେ ଦଳର ବିଭିନ୍ନ ମାମଲାରେ ମଧ୍ୟ ଗେହଲଟଙ୍କ ସକ୍ରିୟତା ମଧ୍ୟ କିଛି ସେଭଳି ଦିଗକୁ ଇଙ୍ଗିତ କରୁଛି । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁନାହାନ୍ତି ଗେହଲଟ । କିନ୍ତୁ ଦଳ ଯଦି ରାହୁଲ ଗାନ୍ଧୀଙ୍କୁ ମନାଇବାରେ ଅସଫଳ ହୁଏ ତେବେ ଗେହଲଟଙ୍କ ନାଁରେ ମୋହର ମାରିପାରେ । କାରଣ ଗାନ୍ଧୀ ପରିବାର ପ୍ରତି ଗେହଲଟଙ୍କର ଆନୁଗତ୍ୟ କାହାକୁ ଅଛପା ନାହିଁ । ଏହାଛଡା ଅନୁଭବୀ ନେତା ଭାବେ  ଗେହଲଟ ଏହି ପଦ ପାଇଁ ସବୁଠୁ ଯୋଗ୍ୟ ଚେହେରା । କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗେହଲଟ ମଧ୍ୟ ଗ୍ରହଣୀୟ ଚେହେରା । ତେଣୁ ଦଳ ତାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେବାକୁ ଦ୍ୱିତୀୟ ଥର ଭାବିନପାରେ ।  ଏବେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ଦଳ ନୂଆ ଅଧ୍ୟକ୍ଷଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବାକୁ ଆପାତଃତ ସ୍ଥିର କରିସାରିଛି ବୋଲି ଚର୍ଚ୍ଚା ହେଉଛି ।