କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନଜରରେ ରଖି କ୍ଷମତାସୀନ କଂଗ୍ରେସ ତାର ପ୍ରଚାର ଜୋରଦାର କରିଥିବା ବେଳେ କ୍ଷମତା ହାତେଇବାକୁ ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି । ହେଲେ ଠିକ  ଏହି ସମୟରେ ରାଜସ୍ଥାନ ବିଜେପିର ବରିଷ୍ଠ ନେତ୍ରୀ ତଥା ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବସୁନ୍ଧରାରାଜେ ସିନ୍ଧିଆ ଓ କଂଗ୍ରେସ ନେତା ତଥା ଏବେର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଟିଏ ମଞ୍ଚରେ ବସିବା ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କିଛିଦିନ ହେବ ବସୁନ୍ଧରା ରାଜେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ଭଳି ବ୍ୟବହାର କରୁଛନ୍ତି । ସେପଟେ ବିଜେପି ତରଫରୁ ମଧ୍ୟ ବସୁନ୍ଧରାଙ୍କ ହାତରୁ ଅନେକ କ୍ଷମତା ଛଡାଇ ନେଇଛି । ଏସବୁ ଭିତରେ ଗେହଲଟ ଓ ବସୁନ୍ଧରାଙ୍କ ଭେଟଘାଟକୁ ନେଇ ବସୁନ୍ଧରା ରାଜେ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଆଲୋଚନା ହେଉଛି ।

Advertisment

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବସୁନ୍ଧରାରାଜେ ସମ୍ବିଧାନ କ୍ଲବର ଉଦଘାଟନ ବେଳେ ଗୋଟିଏ ମଞ୍ଚରେ ବସିଥିବାର ଦେଖିବାକୁ ମିଳିଛି । ଏହି ଉଦଘାଟନ ସମାରୋହରେ ରାଜସ୍ଥାନ ବିଧାନସଭା ଅଧ୍ୟକ୍ଷ ସି.ପି ଯୋଶୀ ଓ ବିରୋଧୀଦଳ ନେତା ରାଜେନ୍ଦ୍ର ରାଠୋଡ ମଧ୍ୟ ଉପସ୍ଥିତ ଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ରାଜସ୍ଥାନ କଂଗ୍ରେସର ଯୁବନେତା ସଚୀନ ପାଇଲଟ ବାରମ୍ବାର ବସୁନ୍ଧରାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ବି ଅଶୋକ ଗେହଲଟ ବସୁନ୍ଧରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ସେପଟେ ନିର୍ବାଚନକୁ ଆଉ କିଛିମାସ ବାକିଥିବା ବେଳେ ବିଜେପି ଚଳାଇଥିବା ପରିବର୍ତନ ଯାତ୍ରାରେ ବସୁନ୍ଧରା ସାମିଲ ନହେବା ଓ ନିଜ ନିର୍ବାଚନମଣ୍ଡଳୀ ଝାଲାବାଡ ନଯିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ହେଲେ ରାଜସ୍ଥାନ ବିଜେପିର ବରିଷ୍ଠ ନେତାମାନେ ଏହାକୁ ଖଣ୍ଡନ କରିଛନ୍ତି । ସେମାନଙ୍କ କହିବା କଥା କି ବସୁନ୍ଧରା ଜଣେ ଜାତୀୟ ସ୍ତରର ନେତା । ତେଣୁ ବଡ ବଡ କାର୍ଯ୍ୟକ୍ରମରେ ସେ ଆଗାମୀ ଦିନରେ ଯୋଗଦେବେ ।