କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ, ଫଡନବୀଶ କହିଲେ ଦେଖ ଆଗକୁ କଣ ହେଉଛି?

195

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ହଲଚଲ । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ କଂଗ୍ରେସର ହାତ ଛାଡିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେଙ୍କୁ ପଠାଇଥିବା ଚିଠିରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଛନ୍ତି । କେବଳ କଂଗ୍ରେସ ନୁହେଁ ବରଂ ବିଧାୟକ ପଦରୁ ମଧ୍ୟ ଅଶୋକ ଇସ୍ତଫା ଦେଇଛନ୍ତି । ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟି ଅଶୋକ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଅଶୋକ ବିଜେପିରୁ ରାଜ୍ୟସଭାକୁ ଯାଇପାରନ୍ତି । ଅଶୋକଙ୍କ ସହ ୧୦ରୁ ୧୨ ବିଧାୟକ ମଧ୍ୟ କଂଗ୍ରେସ ଛାଡିପାରନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ଦୁଇ ବଡ ଚେହେରା ବାବା ସିଦ୍ଦିକି ଓ ମିଲିନ୍ଦ ଦେୱଡା ଦଳ ଛାଡିଥିଲେ ।

ଗୋଟିଏ ପଟେ ଅଶୋକ ଚୌହ୍ୱାନ କଂଗ୍ରେସ ଛାଡିଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବୀଶ କହିଛନ୍ତି, ମୁଁ ଗଣମାଧ୍ୟମରୁ ଅଶୋକଙ୍କ ଇସ୍ତଫା ନେଇ ଜାଣିଲି । କିନ୍ତୁ ଏବେ ବି କଂଗ୍ରେସର ଅନେକ ନେତା ବିଜେପି ସମ୍ପର୍କରେ ରହିଛନ୍ତି । ଯେଉଁ ନେତା ଜନତାଙ୍କ ସହ ଜଡିତ ସେମାନେ କଂଗ୍ରେସରେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି । ଆଗକୁ ଦେଖନ୍ତୁ କଣ ହେଉଛି?

ପୂର୍ବରୁ ଅଶୋକ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତେବେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । କଂଗ୍ରେସର ଜଣାଶୁଣା ଚେହେରା ଭାବେ ପରିଚିତ ଅଶୋକ ମହାରାଷ୍ଟ୍ରରେ କଂଗ୍ରେସର ମଙ୍ଗ ଧରିଥିଲେ ।