କାଲି କଂଗ୍ରେସ ଛାଡିଥିଲେ, ଆଜି ବିଜେପିରେ ମିଶିପାରନ୍ତି ଅଶୋକ ଚୌହ୍ୱାନ ! କିଛି କଂଗ୍ରେସ ବିଧାୟକ ମଧ୍ୟ ଛାଡିପାରନ୍ତି ଦଳ ।

118

କନକ ବ୍ୟୁରୋ : ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ ଆଜି ବିଜେପିରେ ସାମିଲ ହୋଇପାରନ୍ତି । ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ବିଜେପିରୁ ଅଶୋକ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି । ସେହିଭଳି ଅଶୋକଙ୍କ ସହ କଂଗ୍ରେସର କିଛି ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ଅଶୋକ ବିଜେପିରେ ସାମିଲ ହେଲେ କଂଗ୍ରେସକୁ ବଡ ଝଟକା ଲାଗିବ । କାରଣ ନିଜ ଗୃହ ଜିଲ୍ଲା ନାଦେଣ୍ଡ ସମେତ ଏହାର ପାଖ ନିର୍ବାଚନମଣ୍ଡଳୀରେ ମଧ୍ୟ ଅଶୋକଙ୍କର ପତିଆରା ଯଥେଷ୍ଟ ଅଧିକ ରହିଛି ।

ମହାରାଷ୍ଟ୍ରରେ କଂଗ୍ରେସା କ୍ରାଇସିସ ମ୍ୟାନେଜର ଭାବେ ଜଣାଶୁଣା ଥିଲେ ଅଶୋକ । ଦୃଢ ସଙ୍ଗଠକ ଭାବେ ଜଣାଶୁଣା ଅଶୋକ ୨୦୧୪ରେ ମୋଦୀ ଲହରକୁ ପ୍ରତିହତ କରି ବିଜୟୀ ହେବାରେ ସକ୍ଷମ ହୋଇତିଲେ । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଅଶୋକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳିଥିଲେ । କିନ୍ତୁ ଆଦର୍ଶ ଘୋଟାଲାରେ ନିଁ ଉଠିବା ପରେ ଅଶୋକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଦୀର୍ଘ ବର୍ଷ ଧରି ଅଶୋକ ମହାରାଷ୍ଟ୍ର କଂଗ୍ରେସର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।