ନେପାଳ ଖସିଗଲେ ମନ୍ତ୍ରୀଙ୍କ ପୁଅ ! ସମନ ପରେ ବି ହୋଇ ନାହାନ୍ତି ହାଜର

271

କନକ ବ୍ୟୁରୋ : କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଫେରାର । ସମନ ପରେ ବି ହଜାର ହୋଇନାହାନ୍ତି ଆଶିଷ । ଦିନ ୧୦ଟା ସୁଦ୍ଧା ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା । ତାଙ୍କ ଘରେ ନୋଟିସ୍ ଲଗାଯାଇଥିଲା । ପ୍ରମାଣ ସହିତ ଆସିବା ପାଇଁ ଆଶିଷ ମିଶ୍ରାଙ୍କୁ କୁହାଯାଇଥିଲା । ହେଲେ ସେ ହାଜର ହୋଇନାହାନ୍ତି । ଲଖୀମପୁରରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରଠୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରା ଫେରାର ଅଛନ୍ତି । ସେ ନେପାଳ ପଳାଇ ଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତାଙ୍କ ଲୋକେସନ୍ ନେପାଳ କାଠମାଣ୍ଡୁରେ ମିଳିଥିବା ଜଣାପଡ଼ିଛି ।

କିନ୍ତୁ, ସ୍ଥାନ ପରିବର୍ତ୍ତନ କରି ସମ୍ପ୍ରତି ଉତ୍ତରାଖଣ୍ଡର ବାଜପୁରରେ ଥିବା କଥା କୁହାଯାଉଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆମେ ଉତ୍ତରାଖଣ୍ଡ ଏବଂ ନେପାଳ ପୁଲିସକୁ ସତର୍କ କରାଇ ଦେଇଛୁ । ଏହାଛଡ଼ା, ଆଶିଷଙ୍କୁ ଖୋଜିବା ପାଇଁ ପୁଲିସ ଟିମ୍‌ ପଠାଯାଇଛି। ଲଖିମ୍‌ପୁରର ଶାହପୁର ଅଞ୍ଚଳରେ ଥିବା ତାଙ୍କ ଦୁଲାରି ହାଉସ୍‌ ବାସଭବନରେ ଥିବା କର୍ମୀମାନେ କହିଛନ୍ତି ଯେ, ଆଶିଷ ଦୁଇ ଦିନ ତଳୁ ଘରୁ ଚାଲିଯାଇଛନ୍ତି। ପୁଲିସ ଗିରଫ କରିବ ବୋଲି ତାଙ୍କର ଆଶଙ୍କା ହେଉଛି । ଆଜି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି, ଅଜୟ ମିଶ୍ରାଙ୍କର ନେପାଳ ସହ ପୁରାତନ ସମ୍ପର୍କ ରହିଛି । ଏ ମାମଲାରେ ହସ୍ତକ୍ଷେପ ନ କରିବା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ।